ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ
1 min read
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ହାତୀଙ୍କ ପାଇଁ ଆଉ ଜାଗା ନାହିଁ। ଯେତିକି ରହିବା କଥା, ତାଠାରୁ ୩୦୦ ଅଧିକ ହାତୀ ଅଛନ୍ତି ଓଡ଼ିଶାରେ। ପୁଣି ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ବି ହାତୀ ଓଡ଼ିଶା ମୁହାଁ ହେଉଛନ୍ତି। ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଥିବାରୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ। ସେଥିପାଇଁ ବଢୁଛି ହାତୀ-ମଣିଷ ଲଢେଇ। ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲରେ ୧୯ ପ୍ରକାରର ସ୍ବତନ୍ତ୍ର ଗଛ ଲଗାଇବାକୁ ଜଙ୍ଗଲ ବିଭାଗ ଯୋଜନା କରୁଛି ବୋଲି ସଚିବ କହିଛନ୍ତି। ସେପଟେ ମନ୍ତ୍ରୀ କହୁଛନ୍ତି ସରକାର କରିବେ ସ୍ବତନ୍ତ୍ର ନୀତି।
ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ । ଯେତିକି ହାତୀ ରହି ପାରିବା କଥା ତାଠାରୁ ୩୦୦ ଅଧିକ ଅଛନ୍ତି । ଓଡ଼ିଶାରେ ୧୮ଶହ ହାତୀ ରହିବାର କ୍ଷମତା ଥିବା ବେଳେ ଏବେ ଅଛନ୍ତି ୨୧ଶହ। ଜଙ୍ଗଲରେ ରହୁଥିବା ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନଥିବାରୁ ଖାଦ୍ୟ ଅନ୍ୱେଷଣ ରେ ଜନବସତିମୁହାଁ ହେଉଛନ୍ତି। ହାତୀ-ମଣିଷ ଲଢ଼େଇ ବଢୁଛି । ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ସୃଷ୍ଟି କରିବେ ସରକାର। ହାତୀଙ୍କ ଖାଦ୍ୟ ରୂପେ ଚିହ୍ନିତ ୧୯ ପ୍ରକାରର ଗଛ ଲଗାଇବାକୁ ଯୋଜନା ହୋଇଛି। ଆମ୍ବ,ପଣସ,ପିଜୁଳି,କରମଙ୍ଗା,ଶାଗୁଆନ ଭଳି ବ୍ୟାପକ ଗଛ ଲଗାଯିବ। ଜଙ୍ଗଲ ମନ୍ତ୍ରୀ କହୁଛନ୍ତି, ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ଅଧିକ ଖାଦ୍ୟ ପ୍ରସ୍ତୁତ ପାଇଁ ସରକାର ଆଣିବେ ସ୍ବତନ୍ତ୍ର ନୀତି।
ସବୁଠାରୁ ବଡ଼ଜନ୍ତୁ ହାତୀ। ଦିନକୁ ୧୮ଘଣ୍ଟା ଚଳଚଞ୍ଚଳ ରହୁଥିବା ଗୋଟିଏ ହାତୀ ପ୍ରାୟ ଦେଢଶହରୁ ଦୁଇ ଶହ କିଲୋ ଖାଦ୍ୟ ଗ୍ରହଣ କରେ। ଖାଦ୍ୟ ହଜମ ପାଇଁ ଦିନକୁ ସର୍ବନିମ୍ନ ୫୦କିଲୋମିଟର ଚାଲିବାର କ୍ଷମତା ରଖେ। ଏହା ସହ ହାତୀକୁ ପର୍ଯ୍ୟାପ୍ତ ପରିମାଣର ପାଣି ବି ଦରକାର। ହେଲେ ଓଡ଼ିଶାରେ ଅବସ୍ଥା ସଙ୍ଗୀନ। ୧୮ଶହ ହାତୀ ପାଳିବାର କ୍ଷମତା ଥିବା ଓଡ଼ିଶା ଜଙ୍ଗଲରେ ଏବେ ଖାଦ୍ୟ ସଙ୍କଟ ହାତୀଙ୍କ ପାଇଁ ସମସ୍ୟା ପାଲଟିଛି। ୨୧ଶହ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଏବଂ ପାଣିର ଅଭାବ ରହିଛି। ଯେଉଁଥିପାଇଁ ହାତୀ ଖାଦ୍ୟ ଓ ପାଣି ଅନ୍ବେଷଣରେ ସହର ମୁହାଁ ହେଉଛି। ଜଙ୍ଗଲରେ ହାତୀଙ୍କ ଖାଦ୍ୟ ସୃଷ୍ଟି କରିବା ପାଇଁ ସରକାରଙ୍କ ନୀତି ଓ ଯୋଜନାକୁ ନାପସନ୍ଦ କରିଛନ୍ତି ବିଶେଷଜ୍ଞ। ପ୍ରଥମେ ଜଙ୍ଗଲକୁ ସୁରକ୍ଷିତ ରଖାଯାଉ ଏବ ଲୋକଙ୍କ ଜବରଦଖଲ ହଟାଯାଉ। ହାତୀ କରିଡ଼ର ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉ ବୋଲି ବିଶେଷଜ୍ଞ କହିଛନ୍ତି।
୭ବର୍ଷରେ ବିଭିନ୍ନ କାରଣରୁ ଓଡ଼ିଶାରେ ୬୩୪ ହାତୀଙ୍କ ଜୀବନ ଯାଇଛି। ଖାଦ୍ୟ ଅଭାବ ଯୋଗୁଁ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଏହା ମସସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି। ସରକାର ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ କେବଳ ଚିନ୍ତା କରି ବସିଗଲେ ହେବ ନାହିଁ, ଏହା ଫଳପ୍ରଦ କରିବାକୁ ଉଦ୍ୟମ ବି ହେବା ଆବଶ୍ୟକ।