ବିହାର ଶାସନରୁ ବିଜେପି ଆଉଟ୍, ରାଜତିଲକ୍ କି କରୋ ତୟାରୀ,ଆ ରହୈ ହୈଁ ଲାଲଟେନଧାରୀ

1 min read

ପାଟନା: ଶେଷକୁ ସେଇଆ ହେଲା ଯାହା ଆଶଙ୍କା କରାଯାଉଥିଲା । ସବୁଥର ଭଳି ଏଥର ମଧ୍ୟ ଠିକ୍ ମୌକାରେ ନୀତିଶ କୁମାର ୟୁଟର୍ଣ୍ଣ ମାରିଛନ୍ତି । ନୀତିଶ କୁମାର ପୁଣିଥରେ ପୁରୁଣା ବନ୍ଧୁରୁ ବୈରି ଓ ବୈରିରୁ ବନ୍ଧୁ ହୋଇଥିବା ଆରଜେଡି ସହିତ ହାତ ମିଳାଇଛନ୍ତି । ବିଜେପିଠାରୁ ରାଜନୈତିକ ସମ୍ପର୍କ ବିଛେଦ କରି ନୀତିଶ ଆରଜେଡି ନେତୃତ୍ୱାଧିନ ମହାମେଣ୍ଟ ସହିତ ହାତ ମିଳାଇଛନ୍ତି । ଏହା ସହିତ ବିହାର ରାଜନୀତିରେ ଆରମ୍ଭ ହୋଇଛି ମୌକାବାଜିର ଆଉ ଏକ ଅଧ୍ୟାୟ
ମଙ୍ଗଳବାର ଦିନ ଜନତାଦଳ ୟୁନାଇଟେଡ୍ ପକ୍ଷରୁ ବିଜେପି ସହିତ ସମ୍ପର୍କ ଛିନ୍ନ କଥା ଘୋଷଣା କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନରେ ବିଧାୟକ ଦଳର ବୈଠକ ବସିଥିଲା । ବୈଠକ ପରେ ପରେ ମେଣ୍ଟ ଭଙ୍ଗ କଥା ଘୋଷଣା ହୋଇଥିଲା । ଏହା ଭିତରେ କଂଗ୍ରେସ ଓ ଆରଜେଡି ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ଏଣେ ନୀତିଶ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ଦେବେ । ଏହାପରେ ସେ ମହାମେଣ୍ଟର ସମର୍ଥନରେ ସରକାର ଗଠନ କରିବେ ବୋଲି କୁହାଯାଉଛି । ନୀତିଶଙ୍କୁ ଆରଜେଡି ଓ କଂଗ୍ରେସ ସମର୍ଥନ ଦେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି ।

ବିହାରରେ ଦ୍ରୁତଗତିରେ ବଦଳୁଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଲାଲୁ ଯାଦବଙ୍କ ଝିଅ ରୋହିଣି ଆଚାର୍ଯ୍ୟ କରିଥିବା ଏକ ଟ୍ୱିଟ୍ ନୀତିଶ ଓ ତେଜସ୍ୱୀ ହାତ ମିଳାଉଥିବା ଖବରକୁ ପକ୍କା କରିଛି । ମେଣ୍ଟ ଭଙ୍ଗର କିଛି ସମୟ ପୂର୍ବରୁ ରୋହିଣୀ ଟ୍ୱିଟ୍ କରିଥିଲେ ଯେ, ‘‘ରାଜତିଲକ କି କରୋ ତୟାରୀ,ଆ ରହୈ ହୈଁ ଲାଲଟେନଧାରୀ’’

୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନୀତିଶ ଏନଡିଏରୁ ଓହରି ଯାଇଥିଲେ । ପରେ ସେ ୨୦୧୫ ବିଧାନସଭା ନିର୍ବାଚନ କାଳରେ ଆରଜେଡି ସହିତ ମେଣ୍ଟ କରି ବିଜେପିକୁ ଜବରଦସ୍ତ ପରାଜୟ ଦେଇଥିଲେ । କିନ୍ତୁ ମହାମେଣ୍ଟ ସରକାର ୨୦୧୭ରେ ଭାଙ୍ଗିଯାଇଥିଲା । ତେଜସ୍ୱୀଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗରେ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ଏହାପରେ ନୀତିଶ ବିଜେପି ସହିତ ହାତ ମିଳାଇ ନିଜ ସରକାର ଗଠନ କରିଥିଲେ ।

ନୀତିଶଙ୍କ ଏହି ଦଗାବାଜୀ ପାଇଁ ତେଜସ୍ୱୀ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ସେ ଅନେକ ସମୟରେ ନୀତିଶଙ୍କୁ ‘ପଲଟୁ ଚାଚା’ ବୋଲି ସମ୍ବୋଧନ କରୁଥିଲେ । କିନ୍ତୁ ଗତ କେଇ ମାସ ମଧ୍ୟରେ ବିହାରରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିଲେ । ନିକଟରେ ନୀତିଶଙ୍କ ୨୫ ବର୍ଷର ଖାସ୍ ସାଥୀ ଆରସିପିଙ୍କ ବିରୋଧରେ ଜେଡିୟୁ ଦୁର୍ନୀତି ଅଭିଯୋଗ ଆଣି ଦଳରୁ ବିତାଡିତ କରିଥିଲା । ଜେଡିୟୁରେ ଆରସିପି ବିଜେପିର ଗୁପ୍ତଚର ଥିଲେ ବୋଲି ଦଳ ସନ୍ଦେହ କରୁଥିଲା । ଏହି ସବୁ କାରଣକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ୧୯୯୮ରେ ଏନଡିଏରେ ଯୋଗ ଦେଇଥିବା ନୀତିଶ ଏପର୍ଯ୍ୟନ୍ତ ଦୁଇଥର ଏନଡିଏ ଛାଡିଛନ୍ତି । ପ୍ରଥମ ଥର ମେଣ୍ଟ ଛାଡିବାର ୩ ବର୍ଷ ପରେ ତାଙ୍କର ଘର ୱାପସୀ ହୋଇଥିଲା । ତେବେ ଏଥର ତେଜସ୍ୱୀଙ୍କ ସହିତ ବୁଝାମଣାରେ ଏହି ରାଜନୈତିକ ବିବାହ କେତେଦିନ ତିଷ୍ଟିବ ତାହା ଆଗାମୀ ସମୟ କହିବ ।