ତେଜସ୍ୱୀଙ୍କ ନେତୃତ୍ୱରେ ଲଢ଼ାଯିବ ୨୦୨୫ ନିର୍ବାଚନ: ନୀତିଶ କୁମାର

ପାଟନା: ୨୦୨୫ ବିହାର ନିର୍ବାଚନ ପାଇଁ ତେଜସ୍ୱୀ ଯାଦବଙ୍କୁ ପ୍ରୋଜେକ୍ଟ କରୁଛନ୍ତି ନୀତିଶ କୁମାର । ତେଜସ୍ୱୀଙ୍କୁ ନେଇ ଦୀର୍ଘକାଳୀନ ଯୋଜନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ୨୦୨୫ ନିର୍ବାଚନ ମହାମେଣ୍ଟ ତେଜସ୍ୱୀଙ୍କ ନେତୃତ୍ୱରେ ଲଢ଼ବି ବୋଲି ସେ କହିଛନ୍ତି । ଏବଂ ସେ ହିଁ ମହାମେଣ୍ଟକୁ ଆଗକୁ ବଢ଼ାଇବେ । ତେବେ ଲଗାତାର ତେଜସ୍ୱୀଙ୍କୁ ଆଗକୁ ବଢ଼ାଇବା ପାଇଁ ତେଜସ୍ୱୀ ଯୋଜନା କରିଆସୁଛନ୍ତି । ନିକଟରେ ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ନୀତିଶ କୁମାର ତେଜସ୍ୱୀଙ୍କ ଆଡ଼କୁ ଇସାରା କରି ତେଜସ୍ୱୀ ଯାଦବଙ୍କୁ ରାଜନୀତିରେ ଆଗକୁ ବଢ଼ାଇବାର ସଂକଳ୍ପ ନେଇଥିଲେ ।

ସେହିପରି ଆଜି ଅର୍ଥାତ ମଙ୍ଗଳବାର ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନମଣ୍ଡଳ ଦଳର ବୈଠକରେ ନୀତିଶ କୁମାର ତେଜସ୍ୱୀଙ୍କ ଆଡ଼କୁ ଇସାରା କରି ସ୍ପଷ୍ଟ ଭାବେ କହିଥିଲେ ଯେ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ତେଜସ୍ୱୀଙ୍କୁ ଆଗକୁ ପଠାଇବାକୁ ହେବ । ନୀତିଶ କୁମାର ସ୍ପଷ୍ଟ ଭାବେ କହିଥିଲେ ଯେ ବିଧାନସଭା ନିର୍ବାଚନ ଡେପୁଟି ସିଏମ୍ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଲଢ଼ାଯିବ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି କଥା ମହାମେଣ୍ଟର ବିଧାୟକ ଦଳର ବୈଠକ ସମୟରେ କହିଥିଲେ ।

ଏହି ସମୟରେ ଦଳର ଅନ୍ୟ ନେତାମାନଙ୍କ ସହ ତେଜସ୍ୱୀ ଯାଦବ ଏବଂ ନୀତିଶଙ୍କ ନିକଟତର ଜଣାଯାଉଥିବା ବିଜୟ କୁମାର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ମହାମେଣ୍ଟର ସହଯୋଗୀ ସମସ୍ତ ୭ଟି ଦଳ ସାମିଲ ରହିଥିଲେ । ପ୍ରକାଶଥାଉକି ଏହା ପୂର୍ବରୁ ନୀତିଶ କୁମାର ନିଜ ଗୃହ ଜିଲ୍ଲା ନାଳନ୍ଦାର ରହୁଇରେ ରାଜ୍ୟର ସବୁଠୁ ବଡ଼ ଡେଣ୍ଟାଲ କଲେଜର ଉଦଘାଟନ କରିଥିଲେ । ଏହି ସମୟରେ ତେଜସ୍ୱୀ ମଧ୍ୟ ଉପସ୍ଥିତ ଥିଲେ । ନୀତିଶ କୁମାର ଏହି ଅବସରରେ ତେଜସ୍ୱୀଙ୍କୁ ହିଁ ଆଗକୁ ବଢ଼ାଇବାର ସଂକଳ୍ପ ନେଇଥିଲେ । କହିଥିଲେ ନାଳନ୍ଦାର ଜନସାଧାରଣ ଭବିଷ୍ୟତରେ ବିକାଶର ଚିନ୍ତା କରନ୍ତୁନି କାରଣ ବିକାଶ ପାଇଁ ସେ ଯେଉଁ କାର୍ଯ୍ୟ କରୁଛନ୍ତି ତାକୁ ତେଜସ୍ୱୀ ଯାଦବ ଆଗକୁ ବଢ଼ାଇବେ ।