ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍ ପରେ ରୋଚକ ମୋଡରେ ନିମାପଡ଼ା ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ନିମାପଡା ଏନଏସିର ରାଜନୀତି ଏକ ରୋଚକ ମୋଡରେ ଠିଆ ହୋଇଛି । ଅସଲରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛି ତାକୁ ନେଇ ବିଜେପି ଶିବିରରେ ତନାଘନା ଚାଲିଛି । ଅନାସ୍ଥା କାଟ ଖାଇଯିବା ପରେ ବିଜେଡିରୁ ଯାଇ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ମଧ୍ୟ ବାଉଳା ଚାଉଳା ହେଉଛନ୍ତି । ତେବେ ଯେଉଁ କାଉନସିଲରଙ୍କ ଭୋଟ ନାକଚ ହୋଇଛି ତାହା ଅନ୍ୟ ସହଯୋଗୀ କାଉନସିଲରମାନେ ଜାଣିସାରିଲେଣି । କିନ୍ତୁ ଗୁପ୍ତ ଭୋଟିଂ ଯୋଗୁଁ କେହି ନାଁ ପ୍ରଘଟ କରୁନାହାଁନ୍ତି ।

ନିମାପଡା ଏନଏସି ଆସ୍ଥା ଭୋଟ ହାରିବା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ପାଇଁ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ସମର୍ଥିତ ଯେଉଁ ୮ଜଣ କାଉନସିଲର ଭୋଟ ଦେବାକୁ ଯାଇଥିଲେ ସେ ସମସ୍ତଙ୍କୁ ଗୋପ ବ୍ଲକର ବାଙ୍କେଶ୍ବର ମହାଦେବ ମନ୍ଦିରକୁ ଡାକି ସମୀର ଦାଶଙ୍କ ଲୋକମାନେ ପଚରା ଉଚରା କରିବାରେ ଲାଗିଛନ୍ତି । ଠାକୁରଙ୍କ ପ୍ରମାଣ ନିୟମ କରାଇ କିଏ ନାକଚ କରିଛି ଭୋଟ ବୋଲି ପଚାରୁଛନ୍ତି । ସେପଟେ ଯେଉଁ କାଉନସିଲରଙ୍କ ଭୋଟ ନାକଚ ହୋଇଛି ତାହା ଜଣାପଡିଯାଇଥିଲେ ବି ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କେହି ନାଁ ନେଉନାହାଁନ୍ତି ।

ବିଜେଡିରେ ସମୀର ଦାଶ ଥିବା ବେଳେ ଯେଉଁ କାଉନସିଲରମାନେ ଜିତିଥିଲେ ସେମାନଙ୍କ ମଧ୍ୟରୁ ୬ଜଣ କାଉନସିଲର ବିଜେଡି ଛାଡି ବିଜେପିକୁ ଯାଇଥିଲେ। ଆଉ ବିଜେପିରେ ଥିବା ୩ ଜଣ କାଉନସିଲରଙ୍କ ମଧ୍ୟରୁ ଜଣେ ବିଜେଡି ସହ ମିଶିଥିଲେ ଯାହାଦ୍ଵାରା ବିଜେପିର କାଉନସିଲରଙ୍କ ସଂଖ୍ୟା ୮ରେ ପହଞ୍ଚିଥିଲା । ହେଲେ ଜଣେ କାଉନସିଲରଙ୍କ ଭୋଟ ନାକଚ ହେବାରୁ ବାଉଳି ହେଉଛନ୍ତି ପୂର୍ବତନ ବିଧାୟକ ସମୀର ଦାଶ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମର୍ଥକ। ଅନାସ୍ଥା ପୂର୍ବରୁ ଏହି ୮ କାଉସିଲରମାନଙ୍କୁ ୪ଦିନ ଧରି ଅନ୍ୟତ୍ର ନେଇ ରଖାଯାଇଥିଲା । କିଛି ଜଣଙ୍କୁ ଅନାସ୍ଥା ସପକ୍ଷରେ ଭୋଟ ଦେବା ପାଇଁ ଧମକ ଚମକ ମଧ୍ୟ ଦିଆଯାଉଥିଲା । କିନ୍ତୁ ସବୁ ଫସର ଫାଟିଯାଇଛି ।