ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଆଜି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ ଚତୂର୍ଦ୍ଧା ମୂରତି । ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ତିନି ଠାକୁରଙ୍କ ଗୋଟି ପହଣ୍ଡି । ହେଲେ ତା’ପୂର୍ବରୁ ଅଭିମାନୀନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ତିନି ଭାଇ ଭଉଣୀ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ ।

ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବେ । ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଆଜି ସଂନ୍ଧ୍ୟାଧୂପ ଶେଷ ହେବପରେ ରଥରେ ଚାରମାଳ ବନ୍ଧାଯିବ । ପରେ ସିଂହାସନ ମାଜଣା କରାଯିବ । ଏହାପରେ ଚତୁର୍ଦ୍ଧାବିଗ୍ରହଙ୍କ ଆରମ୍ଭ ହେବ ଭବ୍ୟ ପହଣ୍ଡି । ଗୋଟି ପହଣ୍ଡିରେ ଶ୍ରୀଜୀଉମାନେ ବାହୁଡ଼ିବେ ରତ୍ନ ସିଂହାସନକୁ । ରଥଯାତ୍ରାର ଏହି ଅନ୍ତିମ ପର୍ବ ପାଇଁ ପୁରୀ ଏବେ ଚଳଚଞ୍ଚଳ । ଏଣୁ ଆଜି ରଥରେ ଭକ୍ତମାନେ ବହୁସଂଖ୍ୟାରେ ଆସି ରସଗୋଲା ଭୋଗ କରିଥାନ୍ତି ।

ଏଥିସହିତ ପଢ଼ନ୍ତୁ: ସରିଲା ଅଧରପଣା ନିତୀ, ଚଣ୍ଡିଚାମଣ୍ଡାଙ୍କୁ ପଣା ଦେଇ ସନ୍ତୁଷ୍ଟ କଲେ ମହାପ୍ରଭୁ