ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କରେ ଫ୍ଲାସ ଫ୍ଲଡ । ସାରା ସହରରେ ଜାରି ହୋଇଛି ଏମର୍ଜେନସି । ଦଶନ୍ଧିରେ ସବୁଠାରୁ ବଡ ବର୍ଷା ହୋଇଥିବା ସୂଚନା ମିଳିଛି । ଫ୍ଲାସ ଫ୍ଲଡ ଯୋଗୁ ବିମାନ ଓ ସବଓ୍ବେଗୁଡିକରେ ସେବା ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ସ୍ଥିତି ଯୋଗୁ ଆମେରିକାର ଅର୍ଥନୈତିକ ରାଜଧାନୀରେ ଜନଜୀବନ ପ୍ରଭାବିତ ହୋଇଛି । ଜଳ ପ୍ରବାହ ଯୋଗୁ ଲେ ଗାର୍ଡିଆ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ଅନେକ ସ୍ଥାନରେ ଶହ ଶହ କାର୍ ବୁଡି ଯାଇଥିବାବେଳେ ଟ୍ରାଫିକ ଜାମ୍ ପରିଲକ୍ଷିତ ହୋଇଛି । ସବଓ୍ବେରେ ଗାଡି ଚାଲିବା ସମ୍ଭବ ନଥିବାରୁ ଘରୁ ପଦାକୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି ।

ସାରା ନ୍ୟୁୟର୍କ ସିଟିରେ ଏମର୍ଜେନସି ଜାରି କରିଛନ୍ତି ଗଭର୍ଣ୍ଣର କାଥି ହୋଚୁଲ । ପାଣି ପ୍ରବାହକୁ ଦୃଷ୍ଟିରେ ରଖି ଅଧିକାଂଶ ସବଓ୍ବେକୁ ବନ୍ଦ ରଖାଯାଇଛି । ନ୍ୟୁୟର୍କରେ 420ଟି ସବଓ୍ବେ ଷ୍ଟେସନ ଓ 30ଟି ସବଓ୍ବେ ଲାଇନ ଥିବାବେଳେ ଅଧିକାଂଶ ଷ୍ଟେସନରେ ଟ୍ରେନ ଚଳାଚଳ ବାତିଲ ହୋଇଛି । ବିଶ୍ବ ତାପାୟନ ଯୋଗୁ ନ୍ୟୁୟର୍କ ପରି ସହରରେ ଫ୍ଲାସ ଫ୍ଲଡ ଦେଖାଗଲା ବୋଲି ଆଶଙ୍କା କରାଯାଉଛି । ନ୍ୟୁୟର୍କର ପରିବେଶ ସୁରକ୍ଷା କମିଶନର ରୋହିତ ଅଗ୍ରଓ୍ବାଲ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ହିଁ ଏହି ଫ୍ଲାସ ଫ୍ଲଡର କାରଣ ଏବଂ ଏହାର ସମ୍ମୁଖୀନ ହେବା ଲାଗି ସହରର ଭିତ୍ତିଭୂମି ସକ୍ଷମ ନୁହେଁ ।