ଶପଥ ନେଲେ ନବ ନିର୍ବାଚିତ ବିଧାୟକ, ଶପଥ ପାଠ କରାଇଛନ୍ତି କାମଚଳା ବାଚସ୍ପତି

1 min read

ଭୁବନେଶ୍ବର: ଶପଥ ନେଲେ ନବ ନିର୍ବାଚିତ ବିଧାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ପ୍ରଥରେ ଶପଥ ନେଇଥିଲେ। ବିଧାନସଭାରେ ପ୍ରୋ-ଟେମ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି।

ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ଶପଥ ଗ୍ରହଣ ଉତ୍ସବ। ଏହାପରେ ଆସନ୍ତା ୨୦ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥର ସର୍ବାଧିକ ନୂଆ ବିଧାୟକ ନିର୍ବାଚିତ ହୋଇଥିବାରୁ ବିଧାନସଭାରେ ବିରୋଧୀ ଓ ଶାସକ ଦଳର ପ୍ରଦର୍ଶନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ ।

ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ । ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ । ଶଙ୍ଖ ଭବନରେ ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବ ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ  ।