ନବନିଯୁକ୍ତ ଅଧିକାରୀଙ୍କୁ ଦିଗର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କରେ ଯୋଗ ଦେଇଛନ୍ତି ୨୪୦ ଜଣ ସହକାରୀ ମ୍ୟାନେଜର । ସେହିପରି ୨୬ ଜଣ ସିଷ୍ଟମ ମ୍ୟାନେଜର ମଧ୍ୟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଚାଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ଗୁରୁତ୍ବ ଭୂମିକା ତୁଲାଉଛି ।

ନୂଆ କର୍ମଚାରୀ ନିଯୁକ୍ତି ଫଳରେ ଚାଷୀଙ୍କୁ ବ୍ୟାଙ୍କରୁ ଉତ୍ତର ସେବା ମିଳିବ । ଏଥିସହ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଆର୍ଥିକ ସ୍ଥିତି କିଭଳି ସୁଦୃଢ଼ ହୋଇପାରିବ, ସେଥିପାଇଁ କାର୍ଯ୍ୟ କରିଆସୁଛି ସମବାୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ନବନିଯୁକ୍ତଙ୍କୁ ଦିଗଦର୍ଶନ ଦେଇଛନ୍ତି ।

ସେହିପରି କୃଷି ବିଭାଗରେ ଯୋଗଦେଇଛନ୍ତି ୨୨ ସହକାରୀ କୃଷି ଅଧିକାରୀ । ସେହିପରି କାଜୁ ବିକାଶ ନିଗମରେ ଯୋଗ ଦେଇଛନ୍ତି ୫୩ ଅଧିକାରୀ । କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ହେଉଛି ଏକକ ବୃହତ୍ତମ ନିଯୁକ୍ତିଦାତା । କୃଷି କ୍ଷେତ୍ରରେ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ।

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୩୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଗତ ୨୦ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ କୃଷକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କାଜୁ ଉତ୍ପାଦନରେ ଓଡ଼ିଶା ଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ । ତେଣୁ 5T ନୀତି ଅନୁସରଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।