ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ନିଜ ଇଚ୍ଛାରେ ଯାଇପାରିଲେନି କାଫେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ଯେକୌଣସି ରାଷ୍ଟ୍ରର ଏକ ପ୍ରଭାବଶାଳୀ ପଦବୀ । ଅନ୍ୟ ସମସ୍ତ କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ହୋଇ ଥାଆନ୍ତି । ନିୟମ କରିବା ଏବଂ ପରବର୍ତ୍ତୀ ସମୟରେ ସେହି ନିୟମକୁ ପାଳନ କରିବା ଦୁଇଟି ଭିନ୍ନ ବିଷୟ । ନିଜେ ପ୍ରଶାସନିକ କ୍ଷମତାରେ ଥିବା ସମୟରେ ଲାଗୁ କରାଯାଇଥିବା ନିୟମ ନିଜେ ଶାସକ ପାଳନ କରୁଛନ୍ତି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଥାଏ । ଯଦି ସେହି କ୍ଷମତାଶାଳୀ ବ୍ୟକ୍ତି ସେହି ନିୟମକୁ ପାଳନ କରନ୍ତି ନାହିଁ, ତେବେ ସେ ନିଜ ରାଷ୍ଟ୍ରର ରାଜନୈତିକ ବିରୋଧୀ, ସୋସିଆଲ ମିଡିଆରେ ସମାଲୋଚିତ ହେବା ସାର ହୋଇଥାଏ । ଅପରପକ୍ଷରେ ହେଲେ ସେହି ନିୟମକୁ ସମ୍ମାନ ଜଣାଇ ଅନେକ ପ୍ରଶଂସିତ ମଧ୍ୟ ହୋଇଥାଆନ୍ତି । ଏହିପରି ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣ ଜାରି ରହିଥିବାରୁ ସାମାଜିକ ଦୂରତାକୁ ବ୍ୟାପକ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି  ଅଷ୍ଟ୍ରେଲିଆ ମହାଦେଶର ଜନୈକ ଦେଶର ପ୍ରଧାନମନ୍ତ୍ରୀ ନିଜ ଦେଶରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ ପାଇଁ ନିୟମ ତିଆରି କରିଥିଲେ । ନିୟମଟି ଏପରି ଥିଲା ଯେ, ଗୋଟିଏ କାଫେରେ ସାମାଜିକ ଦୂରତା ରକ୍ଷା ସହ ଯେତିକ ଗ୍ରାହକ ବସିପାରିବେ, ତାହାଠାରୁ ଅଧିକ କୌଣସି ବ୍ୟକ୍ତି ବିଶେଷକୁ ଅନୁମତି ଦିଆଯିବ ନାହିଁ । ହେଲେ ସବୁ ପରେ ବଡଲୋକଙ୍କୁ କିଏ ବା ମନା କରିପାରେ ।

ଆଲୋଚନା କରାଯାଉଥିବା ଦେଶର ପ୍ରଧାନମନ୍ତ୍ରୀ ନିଜ ଭାବି ସ୍ୱାମୀ ଏବଂ କେତେକ ବନ୍ଧୁଙ୍କୁ ନେଇ କୌଣସି ଏକ କାଫେରେ ପହଞ୍ଚିଥିଲେ । ହେଲେ ସେ କାଫେ ଭିତରକୁ ଯାଇ ପାରି ନଥିଲେ ।କାରଣ ସାମାଜିକ ଦୂରତା ନିୟମ ଅନୁଯାୟୀ କାଫେରେ ଯେତିକି ଗ୍ରାହକ ରହିବା କଥା ସେତିକି ରହିସାରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ପୂର୍ବରୁ କୌଣସି ଟେବୁଲ୍‌ ବୁକ୍‌ ମଧ୍ୟ କରିନଥିଲେ । ତେଣୁ ତାଙ୍କ ପାଇଁ କୌଣସି ସ୍ଥାନ ଖାଲି ନ ଥିଲା । ଏହି କାରଣରୁ ସେ କାଫେ ଭିତରକୁ ନ ଯାଇ ଫେରି ଯାଇଥିଲେ । କାଫେରେ ତାଙ୍କ ପାଇଁ ସ୍ଥାନ ନ ଥିବା କଥା ଶୁଣିବା ପରେ ସେଠାରୁ ସେ ଚାଲିଯାଇଥିଲେ । କିଛି ଦୁର ଯିବା ମଧ୍ୟରେ କାଫେରେ ଗୋଟିଏ ଟେବୁଲ ଖାଲି ହୋଇଥିଲା । କାଫେର ଜଣେ କର୍ମଚାରୀ ତୁରନ୍ତ ଦୌଡ଼ିଯାଇ ଆର୍ଡନ ଓ ତାଙ୍କ ସାଙ୍ଗ ସାଥୀମାନଙ୍କୁ କାଫେକୁ ନିମନ୍ତ୍ରଣ କରିଥିଲେ । ଏହା ପରେ କାଫେରେ ସାମାଜିକ ଦୂରତା ରକ୍ଷା ସହ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ବନ୍ଧୁମାନେ ଖାଦ୍ୟ ଗ୍ରହଣ କରିଥିଲେ ।

ଉପରୋକ୍ତ ବର୍ଣ୍ଣିତ ଘଟଣାଟି ଘଟିଥିଲା ୱେଲିଂଟନ ସହରରେ । ଯାହା ନିଜ୍ୟୁଲ୍ୟାଣ୍ଡରେ ଅବସ୍ଥିତ । ଆଉ ସେହି ପ୍ରଧାନମନ୍ତ୍ରୀ ଜଣଙ୍କ ହେଉଛନ୍ତି ଜାସିଣ୍ଡା ଆର୍ଡନ ।

Leave a Reply