ଭାରତକୁ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ହେଲା ଓ୍ୱାଲ୍ଡ ଟେଷ୍ଟ ଚାମ୍ପିଅନ୍

ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍କୁ ୮ ଓ୍ୱିକେଟ୍ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନର ମାନ୍ୟତା ହାସଲ କରିଛି । ଭାରତ ଦ୍ୱାରା ରଖାଯାଇଥିବା ୧୩୯ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଥିଲା । ଅଧିନାୟକ କେନ ଓ୍ୱିଲିୟମସନ୍ ମ୍ୟାଚ ବିଜୟୀ ଇନିଂସ ଖେଳି ୫୨ ରନ କରିଥିଲେ । ରସ୍ ଟେଲର ମଧ୍ୟ ୪୭ ରନ କରିଥିଲେ ।
ନିଜର ୨ୟ ଇନିଂସରେ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ ଓ ରୋହିତ ଶର୍ମା ୩୦ ରନ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ । ବର୍ଷା ବାଧାପ୍ରାପ୍ତ ଏହି ଫାଇନାଲ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ୨୧୭ କରିଥିବାବେଳେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୪୯ ରନ କରିଥିଲା । ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ବହୁମୂଲ୍ୟ ୩୨ ରନର ଅଗ୍ରଣୀ ପାଇଥିଲା ।