ନ୍ୟୁୟର୍କ ବ୍ରୁକଲିନ ସବୱେ ଗୁଳିକାଣ୍ଡ ଘଟଣା; ୬୨ ବର୍ଷୀୟ ଫ୍ରାଙ୍କ ଜେମସ୍ ଗିରଫ

1 min read

ନ୍ୟୁୟର୍କ: ନ୍ୟୁୟର୍କ ବ୍ରୁକଲିନ ସବୱେ ଗୁଳିକାଣ୍ଡ ଘଟଣାରେ ୬୨ ବର୍ଷ ବୟସ୍କ ଅଭିଯୁକ୍ତ ଫ୍ରାଙ୍କ ଜେମସ୍ ଗିରଫ ହୋଇଛନ୍ତି । ସବୱେରେ ଆଖିବୁଜା ଗୁଳିମାଡ କରି ୧୩ରୁ ଅଧିକ ଲୋକଙ୍କୁ ଆହତ କରିଥିବା ଏହି ଅପରାଧୀକୁ ଧରିବା ଲାଗି ଜୋରଦାର ଅପରେସନ ଚାଲିଥିଲା। ସେ ଗ୍ୟାସ ମାସ୍କ ପିନ୍ଧି ଜନବହୁଳ ଷ୍ଟେସନରେ ଲୋକଙ୍କ ଉପରକୁ ୩୩ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ନ୍ୟୁୟର୍କ ମେୟର ଏରିକ ଆଡାମସ।

ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାନହଟ୍ଟନ ଷ୍ଟ୍ରିଟରୁ ତାକୁ ଗିରଫ କରାଯାଇଥିଲା । ଏହି ଗୁଳିକାଣ୍ଡ ଘଟଣାରେ ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ଫାୟାରିଂ ପରେ ଜେମସ କିଛି ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରିଥିଲା । ଏହାବ୍ୟତୀତ ସେ ନ୍ୟୁୟର୍କ ମେୟରଙ୍କୁ ବି ସମାଲୋଚନା କରିଥିଲା।

ଗତ ଏପ୍ରିଲ୍ ୧୨ ତାରିଖରେ ଆମେରିକାର ନ୍ୟୁୟର୍କର ବ୍ରୁକଲିନରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ହୋଇଥିଲା। ଷ୍ଟେସନ ମଧ୍ୟରେ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ଜୀବନ ଯାଇଥିବାବେଳେ ୧୩ ଜଣ ଆହତ ହୋଇଥିଲେ । ଏହା ବ୍ୟତୀତ ଘଟଣାସ୍ଥଳରୁ କେତେକ ଅଫୁଟା ବିସ୍ଫୋରକ ଜବତ ହୋଇଥିବା ନ୍ୟୁୟର୍କ ପୋଲିସ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ଆହତ ବ୍ୟକ୍ତିମାନେ ଏଣେତେଣେ ପଡ଼ିଥିବା ସମ୍ପର୍କୀତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ନ୍ୟୁୟର୍କ ସିଟିରେ ଗୁଳିକାଣ୍ଡ ଏକ ସାଧାରଣ ଘଟଣା। ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ୨୯୬ଟି ଗୁଳିକାଣ୍ଡ ଘଟିଥିବା ସୂଚନା।

ଅଧିକ ପଢନ୍ତୁ- ଆମେରିକା ରେଳ ଷ୍ଟେସନରେ ଲଗାତାର ଗୁଳିମାଡ଼, ୫ ମୃତ