ବାୟୁସେନାର ନୂଆ ଓ୍ବିପନ ସିଷ୍ଟମ ବ୍ରାଞ୍ଚ, ଆକାଶରେ ଶତ୍ରୁ ହେବେ ଧୂଆଁ

1 min read

ନୂଆଦିଲ୍ଲୀ: ୯୦ତମ ଏୟାରଫୋର୍ସ ଡେ’ରେ ଦମ୍ ଦେଖାଇଲା ବାୟୁସେନା । ଚଣ୍ଡୀଗଡରେ ହୋଇଥିବା ଏୟାର ଶୋ’ରେ ପୂରା ବିଶ୍ବ ଦେଖିଲା ଭାରତୀୟ ବାୟୁ ବୀରଙ୍କ ଦମ୍ଭ । ସେପଟେ ପ୍ରଥମ ଥର ଲାଗି ଭାରତୀୟ ବାୟୁ ସେନାରେ ଆରମ୍ଭ ହୋଇଛି ଓ୍ବିପନ ସିଷ୍ଟମ ବ୍ରାଞ୍ଚ । ଦେଶ ସ୍ବାଧୀନ ହେବା ପରଠାରୁ ଏହା ହେଉଛି କେନ୍ଦ୍ର ସରକାରଙ୍କ ପ୍ରଥମ ପଦକ୍ଷେପ ।

ଚଣ୍ଡୀଗଡ଼ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏୟାର ଚିଫ ମାର୍ଶାଲ ଭି.ଆର. ଚୌଧୁରୀ କହିଛନ୍ତି- ଏଥିରେ ୪ଟି ବିଶେଷ ଶାଖା ରହିବ । ପ୍ରଥମରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ଦ୍ବିତୀୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ତୃତୀୟରେ ରିମୋଟଲି ପାଇଲଟଡ ଏୟାରକ୍ରାଫ୍ଟ ଓ ଚତୁର୍ଥରେ ମଲ୍ଟି କ୍ରୁ ଏୟାରକ୍ରାଷ୍ଟର ଓ୍ବିପନ ସିଷ୍ଟମ ଅପରେସନ । ଏହାଦ୍ବାରା ଅଧିକ ଶକ୍ତିଶାଳୀ ହେବ ବାୟୁସେନା । ଏହାଦ୍ବାରା ୩ ହଜାର ୪୦୦ କୋଟି ଟଙ୍କାର ସଞ୍ଚୟ ହୋଇପାରିବ ବୋଲି ଏୟାର ଚିଫ ମାର୍ଶାଲ କହିଛନ୍ତି ।

ଆଜି ଏୟାର ଫୋର୍ସ ଦିବସରେ ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଆକାଶରେ ବାୟୁସେନା ଦେଖାଇଛି ନାନା କୌଶଳ । ଏହା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ । ଏୟାରଫୋର୍ସ ଚିଫ୍ ଭି ଆର୍ ଚୌଧୁରୀ, ଆର୍ମି ଚିଫ୍ ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଅଡମିରାଲ ଆର ହରି ମଧ୍ୟ ଓ୍ବାର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏୟାରଫୋର୍ସ ଡେ ଉପଲକ୍ଷେ ହେଡକ୍ବାର୍ଟରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୧୯୩୨ ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା ।