କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି, ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ

ଗଞ୍ଜାମ ଜିଲ୍ଲାରେ କରୋନା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ରଣକୌଶଳ ଆପଣାଇଛନ୍ତି  । ଏଥିରେ ସଚେତନତା, ଟେଲିମେଡିସିନ ଓ ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ବ୍ରହ୍ମପୁର ମେଡିକାଲ କଲେଜର ଓପିଡି ଓ ଜରୁରିକାଳୀନ ଓ୍ୱାର୍ଡ ୨୪ ଘଣ୍ଟିଆ ସେବା ଯୋଗାଇବ । ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟଙ୍କୁ ଦାୟିତ୍ୱ ମିଳିବ । ଅନ୍ୟପକ୍ଷରେ ମେକେସିଜି ଶିଶୁ ବିଭାଗର ଶହେ ଶଯ୍ୟା, ବିଦ୍ୟୁତପୁରରେ ୧୫୦ ଶଯ୍ୟା ଓ ସରସ୍ୱତୀ ବିଦ୍ୟାମନ୍ଦିରରେ ୧୫୦ ଶଯ୍ୟା ପ୍ରସ୍ତୁତ କରାଯିବ ।

ତେବେ ମେକେସିଜି କୋଭିଡ ଶଯ୍ୟା ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନର ତତ୍ତ୍ୱବଧାନରେ ରହିବ ଓ ବାକି ଶଯ୍ୟା ବ୍ରହ୍ମପୁର ମହାନଗର ନିଗମ ନିମ୍ନରେ କାର୍ଯ୍ୟ କରିବେ । ସେହିଭଳି ଅମ୍ଲଜାନର ସ୍ତର କମ ଥିବା ରୋଗୀଙ୍କ ପାଇଁ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ହୋଇ ରହିବା ନେଇ ମଧ୍ୟ ଘୋଷଣା ହୋଇଛି । ତେବେ ରୋଗୀଙ୍କ ମନୋବଳ ବଢାଇବା ପାଇଁ ସରକାର କହିଛନ୍ତି ଯେ ଡାକ୍ତରଖାନାରେ ମନସ୍ତାତ୍ତ୍ୱିକ ପରାମର୍ଶଦାତା ନିଯୁକ୍ତ ହେବେ । ଏମାନେ ସଂକ୍ରମିତଙ୍କ ମଧ୍ୟରେ ମନୋବଳ ବଢାଇବାର କାମ କରିବେ । ତେବେ ସୁସ୍ଥ ହୋଇ ଫେରିବା ପରେ ଉକ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍ ମନିଟର ଭାବେ ଦାୟିତ୍ୱ ମିଳିବ । ଜଣକା ଅତି କମରେ ୧୦ ଜଣଙ୍କ ମନୋବଳ ବଢାଇବା ସହ ସାହୟ ଯୋଗାଇବେ । ଏଥିପାଇଁ ସେମାନଙ୍କ ଏକ ହଜାର ଟଙ୍କା ଲେଖାଏଁ ମଧ୍ୟ ଯୋଗାଇ ଦିଆଯିବ ।

ଅନ୍ୟପକ୍ଷରେ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ନୂଆ ପ୍ରକାରରେ କିଛି ଚିନ୍ତା କରିଛନ୍ତି । ଏମାନଙ୍କୁ ହୋମ୍ ଆଇସୋଲେସନ୍ ସମୟରେ ମେଡିକାଲ କିଟ୍ ଯୋଗାଇଦେବା ସହ ସେମାନଙ୍କ ପରିବାର ଲୋକଙ୍କୁ ଆଇଇସି ମ୍ୟାଟେରିୟାଲ ଯୋଗାଇ ଦିଆଯିବ । ସେହିଭଳି ବ୍ରହ୍ମପୁର ଓ ଗୋପାଳପୁର ଥିବା ହୋଟେଲରେ ଡାକ୍ତରମାନଙ୍କର ରହଣୀ ବ୍ୟବସ୍ଥା କରିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିଛି । କୋଭିଡ ପଜିଟିଭ ରୋଗୀ ଓ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ପାଇଁ କଲ ସେଣ୍ଟରରେ ଆବଶ୍ୟକୀୟ ପରାମର୍ଶ ଦିଆଯିବ ।

Leave a Reply