ବିଧାନସଭାରେ ନୂଆ ବିଧାୟକ ସାଉଁଟିଲେ ନିଆରା ଅନୁଭୂତି

ଭୁବନେଶ୍ବର: ନୂଆ ବିଧାୟକ, ନୂଆ ଅନୁଭୂତି । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ନବ ନିର୍ବାଚିତ ବିଧାୟକମାନେ ସାଉଁଟିଛନ୍ତି ନିଆରା ଅନୁଭୂତି । ଉଭୟ ଶାସକ ଓ ବିରୋଧୀ ଦଳର ବହୁ ନବ ନିର୍ବାଚିତ ବିଧାୟକ ବିଧାନସଭାର ବିଧିବ୍ୟବସ୍ଥା ବିଷୟରେ ଅବଗତ ହେବା ସହ ବିତର୍କରେ ସାମିଲ ହୋଇ ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଓ ବଜେଟ ଆଲୋଚନାରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ବରିଷ୍ଠଙ୍କଠାରୁ ଅନେକ କିଛି ଶିଖିଛନ୍ତି । ଯାହା ବିଧାୟକମାନଙ୍କୁ ଆଗାମୀ ଦିନରେ କାମ କରିବା ପାଇଁ ପ୍ରେରଣା ଦେବ ।

ପବିତ୍ର ସାଉଁଟା । କଂଗ୍ରେସର ଲକ୍ଷ୍ମୀପୁର ବିଧାୟକ । ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଶ୍ନକାଳରେ ଆଦିବାସୀ ଅଧ୍ଯୁଷିତ ଲକ୍ଷ୍ମୀପୁର ଅଞ୍ଚଳର ଲୋକେ କିପରି ସରକାରୀ ରାସନ ଲାଗି ସମସ୍ୟା ଭୋଗୁଛନ୍ତି ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ବାଟ କାଢିଥିଲେ । ଦେବଗଡ଼ର ବିଜେଡ଼ି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ଦେବଗଡ଼ ଅଞ୍ଚଳର ପାନୀୟଜଳ ସମସ୍ୟା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଉଠାଇ ଲୋକଙ୍କ ସ୍ବର ସାଜିଥିଲେ । ସେହିପରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଓ ସ୍ବାଧୀନ ବିଧାୟକ ସାରଦା ପ୍ରଧାନ । ପ୍ରଶ୍ନକାଳରେ ଜଣକ ପରେ ଜଣେ ନୂଆ ବିଧାୟକ ନିଜ ନିଜ ଅଞ୍ଚଳର ସମସ୍ୟା କଥା ଉଠାଇ ବିଧାନସଭାରେ ନିଜର ଦକ୍ଷତା ଜାହିର କରିଥିଲେ ।

ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଗତକାଲି ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ନିଜର ପ୍ରଥମ ଅନୁଭୂତିକୁ ନନ୍ଦିଘୋଷ ଟିଭି ଆଗରେ ବଖାଣିଛନ୍ତି ନୂଆ ବିଧାୟକ । ବିଧାନସଭାରେ ବହୁତ କଥା ଶିଖିଥିବା ବେଳେ ବରିଷ୍ଠ ବିଧାୟକମାନଙ୍କଠାରୁ ଗୃହରେ ବିଭିନ୍ନ ଆଲୋଚନା ଓ ବିତର୍କରେ ଯୁକ୍ତି ସେମାନଙ୍କୁ ବେଶ ପ୍ରଭାବିତ କରିଛି ବୋଲି କହିଛନ୍ତି ।

ସପ୍ତଦଶ ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ମଧ୍ୟରୁ ୮୪ ଜଣ ନୂଆ ବିଧାୟକ । ବିଜେପିରୁ ସର୍ବାଧିକ ୫୪, ବିଜେଡିରୁ ୧୮ ଜଣ, କଂଗ୍ରେସରୁ ୯ ଜଣ ଓ ସ୍ବାଧୀନ ୩ ଜଣ ବିଧାନସଭାକୁ ଆସିଛନ୍ତି । ନବ ନିର୍ବାଚିତ ବିଧାୟକମାନେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିଧାନସଭାର ବିଧିବ୍ୟବସ୍ଥା ସହ ଜଣେ ଜନ ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ବିଭିନ୍ନ ଫୋରମରେ ନବ ନିର୍ବାଚିତ ବିଧାୟକମାନେ ସାମିଲ ହୋଇ ବିଧାନସଭା କାର୍ଯ୍ୟଧାରା ଓ ନିୟମକାନୁନ ବିଷୟରେ ଅବଗତ ହୋଇଛନ୍ତି । ପବିତ୍ର ଗୃହରେ ନିଜ ନିର୍ବାଚନୀ ମଣ୍ଡଳୀର ସମସ୍ୟା ଉପସ୍ଥାପନ ସହ ଲୋକଙ୍କ ସ୍ବର ସାଜିଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି ।

ଆଗକୁ ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟଧାରା ଉପରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ । ଅଧାରୁ ଅଧିକ ନୂଆ ବିଧାୟକ ବିଧାନସଭାକୁ ଆସିଥିବାରୁ ଗୃହରେ ଚିତ୍ର ମଧ୍ୟ ବେଶ ବଦଳିଛି । ପ୍ରଥମ ଥର ଲାଗି ଅଧିକ ନବ ବିଧାୟକ ସହ ବିଜେପି ଶାସକ ଦଳ ଭୂମିକାରେ ଥିବା ବେଳେ ବହୁ ଅଭିଜ୍ଞ ବିଧାୟକଙ୍କ ସହ ବିଜେଡି ବିରୋଧୀ ଦଳ ଭୂମିକା ନିଭାଉଛି ।