ଖୁବଶୀଘ୍ର ରାଜଧାନୀରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଲାଗୁହେବ ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ବରରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଲାଗୁହେବ ସ୍ବତନ୍ତ୍ର ଆଇନ । ମହାନଗର ନିଗମ ଆଇନ 2003ର ଧାରା 409(ଖ) ଓ 543(ଖ) ଅନୁଯାୟୀ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇପାରିବ । ତେବେ ନିୟମ ଲାଗୁ ପୂର୍ବରୁ ଜନମତ ସଂଗ୍ରହ କରାଯିବ । ଏହାପୂର୍ବରୁ ଚିଠା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ମେୟର ଓ କମିଶନରଙ୍କ ଉପସ୍ଥିତିରେ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ ଆଲୋଚନାରେ ଯୋଗଦେଇଥିଲେ ।

ବୈଠକରେ ନିୟମ ଲାଗୁନେଇ ସମସ୍ତେ ମତଦେବା ସହିତ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିଛନ୍ତି । ୧୦ଦିନ ମଧ୍ୟରେ ଚିଠା ପ୍ରସ୍ତାବରେ ପରିବର୍ତ୍ତନ ହୋଇପାରିବ । ପରେ ସଂଶୋଧିତ ଚିଠା ପ୍ରସ୍ତାବକୁ ବିଏମସି କର୍ପୋରେସନ ବୈଠକରେ ଆଲୋଚନା କରି ଆଇନରେ ପରିଣତ କରାଯିବ । ଏଥିରେ ଗୃହପାଳିତ ପଶୁପକ୍ଷୀଙ୍କ ପଞ୍ଜିକରଣ ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନବୀକରଣ, ସେମାନଙ୍କର ଟିକାକରଣ ସହିତ ପରିବେଶ ଓ ପରିମଳ ଉପରେ ଗୁରୁତ୍ବ ଦିଆଯାଇଛି ।