ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିଛନ୍ତି । ଏ ଦିଗରେ କମିଶନ ଶୁନ୍ୟ ସହନଶିଳତା ନୀତି ଆପଣାଇବା ସହ ଗାଇଡଲାଇନର ଉଲଂଘନ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ସମୟରେ କୈଣସି ପ୍ରକାର ସ୍ଲୋଗାନ, କ୍ୟାମ୍ପେନ ରାଲି କିମ୍ବା ନିର୍ବାଚନୀ ସଭାରେ ଶିଶୁଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ । ଏନେଇ ରାଜନୈତିକ ଦଳ, ନେତୃତ୍ବ ଓ ପ୍ରାର୍ଥୀମାନେ ସର୍ତକ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚାର ସମୟରେ ପ୍ରାର୍ଥୀମାନେ କୋଳରେ କିମ୍ବା ନିଜ ଗାଡିରେ ପିଲାଙ୍କୁ ନେଇପାରିବେ ନାହିଁ । କୌଣସି ରାଜନୈତିକ କ୍ୟାମ୍ପେନରେ ଶିଶୁଙ୍କୁ ପ୍ରତିକ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଗତ ୨୦୧୪ ଅଗଷ୍ଠ ମାସରେ ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟ ଆଧାରରେ ନାବାଳକ ଶିଶୁଙ୍କୁ ରାଜନୈତିକ କ୍ୟାମ୍ପେନରେ ବ୍ୟବହାର କରିବା ନେଇ ଏଭଳି କଟକଣା ଜାରି କରାଯାଇଛି । କମିଶନ ସବୁ ନିର୍ବାଚନ ଅଧିକାରୀଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣି ଅଫିସର ମାନେ ବ୍ୟକ୍ତିଗତ ଭାବେ ଏହି ଗାଇଡଲାଇର ଅନୁପାଳନକୁ ସୁନିଶ୍ଚିତ କରିବେ ।