ଆଜିଠୁ ଲାଗୁ ହୋଇଛି ପରିବର୍ତ୍ତିତ ଜିଏସ୍‌ଟି; ଜାଣନ୍ତୁ କେଉଁ କେଉଁ ଜିନିଷ ମହଙ୍ଗା ହୋଇଛି

1 min read

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଛଟପଟ ମଧ୍ୟବିତ୍ତ ଏବଂ ଗରିବଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି ଜିଏସଟି କାଉନସିଲର ନୂଆ ନିଷ୍ପତ୍ତି । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ନୂଆ ସାମଗ୍ରୀ ଓ ସେବାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ଯାହା ସ୍ୱାଧୀନତା ପରଠୁ କେବେ ହୋଇନଥିଲା । ତେବେ ଏହି ନିଷ୍ପତ୍ତି ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଜାଣନ୍ତୁ କେଉଁ ସାମଗ୍ରୀ ପାଇଁ କେତେ ପ୍ରତିଶତର ଜିଏସଟି ଦେବେ ଖାଉଟି ।

୫% ଜିଏସଟି

ଅଟା, ଚାଉଳ, ଗୁଡ଼, ମୁଢ଼ି, ଖଈ, ଉଖୁଡ଼ା, ପଇଡ଼ ପାଣି, ଘୋଳ ଦହି, ପନିର, ଡାକ୍ତରଖାନାରେ ୫ହଜାର ଟଙ୍କାରୁ ଅଧିକ ମୂଲ୍ୟର କ୍ୟାବିନ, ଶୁଖିଲା ସୋୟାବିନ, ମଟର, ଓଟସ, ବାର୍ଲି ଉପରେ ୫ପ୍ରତିଶତ ଟ୍ୟାକ୍ସ ଦେବେ ଉପଭୋକ୍ତା ।

୧୨% ଜିଏସଟି

ସେହିଭଳି ପାଠ ପଢ଼ା ସାମଗ୍ରୀ ମ୍ୟାପ୍, ଚାର୍ଟ, ଆଟଲାସ, କାନ୍ଥ ମାନଚିତ୍ର, ଗ୍ଳୋବସ୍ ସହିତ ୧ହଜାର ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମ୍, ସୋଲାର ହିଟର, ଚମଡ଼ା ସାମଗ୍ରୀ, ଅପରେଟରଙ୍କ ଦ୍ୱାରା ମାଲ୍ ପରିବହନ ୧୨ ପ୍ରତିଶତ ଜିଏସ୍‌ଟି ସ୍ଳାବ୍ ଅନ୍ତର୍ଭୁକ୍ତ ହୋଇଛି ।

୧୮% ଜିଏସଟି

ନୂତନ ଚେକ୍ ବୁକ, ପ୍ରିଣ୍ଟିଂ ଏବଂ ଡ୍ରଇଂ କାଳି, ଧାରୁଆ ଛୁରି, ବ୍ଳେଡ୍, ପେପର କଟାଛୁରୀ, ପେନସିଲ୍ କଟର, ମାର୍କର, ଏଲ୍‌ଇଡି ଲ୍ୟାମ୍ପ ଏବଂ ଲାଇଟ୍, ଷ୍ଟିଲ ଚାମଚ ସ୍କିମର ଏବଂ ଫିକ୍ସଚର ଉପରେ ୧୮ ପ୍ରତିଶତର ଜିଏସଟି ଦେବାକୁ ପଡ଼ିବ ।

ଅପରପକ୍ଷରେ ଏହି ନୂଆ ଜିଏସ୍‌ଟି ଲାଗି ରାଜ୍ୟ ବିଧାନସଭାରେ ପ୍ରବଳ ହୋହଲ୍ଲା, ହଟ୍ଟଗୋଳ ଦେଖିବାକୁ ମିଳିଛି । ମୁଢ଼ି ଉପରେ ଜିଏସଟି ଲାଗୁ କରିବା ଗରିବଙ୍କ ପେଟରେ ଲାତ ମାରିବା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।  ଚୁଡ଼ା, ମୁଢ଼ି, ଖଇ, ଦହି, କ୍ଷୀର, ବଟର ଉପରେ GST ଲାଗୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ସନ୍ତୋଷ ସିଂ ସାଲୁଜା । ଏହାଦ୍ୱାରା ଗରିବ ଲୋକ କ୍ଷୀର, ଦହି ଖାଇ ପାରିବେନି । ଏହା କୁ ପ୍ରତ୍ୟାହାର କରିବାକୁ ସାଲୁଜା ଦାବି କରିଛନ୍ତି ।  ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ । ଏହା ଦ୍ୱରା ଗରିବ ଲୋକ ହଇରାଣ ହେବେ । ଏଥିପାଇଁ GST ପରିଷଦ ରାଜ୍ୟର ସହମତି ନେଇଛି କି  ବୋଲି ସେ ପ୍ରଶ୍ନ କରିଥିଲେ  । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏହି GST କେବଳ କମ୍ପାନୀଗୁଡ଼ିକରେ ପ୍ରସ୍ତୁତ ହେଉଥିବା ପ୍ୟାକେଟ୍ ଉପରେ ଲାଗୁହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।