ରାଜ୍ୟ ବଜେଟ ପାଇଁ ଏବେଠୁ କସରତ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।  ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତୁତିର ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଯାଇଛି। ଖୁବ ଶୀଘ୍ର ସମସ୍ତ ବିଭାଗ ନିଜ ବଜେଟର ରୂପରେଖ ସମ୍ପର୍କରେ ଆଲୋଚନା କରିବା ସହ ଅବଗତ କରିବେ । ତା ପରେ ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି।

ରାଜ୍ୟ ବଜେଟ ପାଇଁ ଏବେଠୁ କସରତ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ ବିଭିନ୍ନ ବିଭାଗ । ନୂଆ ସରକାରରେ ଚାଷୀଙ୍କୁ ଫୋକସ। ନିଜ ଅଧିନରେ ଥିବା ଚାରି ବିଭାଗର ସମୀକ୍ଷା କଲେ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ଆସିବା ପରେ ପ୍ରଥମ ଥର ପାଇଁ ବଜେଟ ପ୍ରସ୍ତୁତ କରିବେ ନୂଆ ସରକାର । ସେଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଜେଟର ରୂପରେଖ ସମ୍ପର୍କରେ ଅବଗତ କରାଯାଇଛି ।

ବଜେଟ କେମିତି ପ୍ରସ୍ତୁତ ହୁଏ, କ’ଣ ରହିଛି ପ୍ରକ୍ରିୟା, କେତେଦିନ ସମୟ ଲାଗେ, କାହାର ପରାମର୍ଶ ଲୋଡ଼ାଯାଏ,  ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ସେପଟେ ବିଜେପି ପକ୍ଷରୁ ଦିଆଯାଇଥିବା ଇସ୍ତାହାରରେ ପ୍ରତିଶ୍ରୁତି ଗୁଡିକୁ  ଅନୁଧ୍ୟାନ କରାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ବଜେଟ ସମ୍ପର୍କରେ ଅବଗତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ନିଜ ଅଧୀନରେ ଥିବା ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହ, ଅର୍ଥ, ଜଳସମ୍ପଦ ସହ ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ ଅଧିକାରୀମାନେ ଅବଗତ କରାଇଛନ୍ତି। ନୂଆ ସରକାର ଚାଷୀଙ୍କୁ ଫୋକସ କରୁଥିବାରୁ ଚାଷ ଜମିକୁ ପାଣି ଯୋଗାଇବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବିଭିନ୍ନ ଯୋଜନାରେ ଲୋକେ କିଭଳି ଉପକୃତ ହେବେ ଓ ଭଲ ବଜେଟର ପ୍ଲାନିଂ କରିବା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ତୃଣମୂଳ ସ୍ତରରେ ଲୋକଙ୍କ ନିକଟତର ହେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ଯୋଜନାଗୁଡିକୁ ଲୋକାଭିମୁଖୀ କରିବା ସହ ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।