ଏସିଆ କପ୍ ଅପଡେଟ୍: ଜୁଲାଇରେ ତାରିଖ ଘୋଷଣା ! ଭାରତ-ପାକ୍ ମ୍ୟାଚ୍ କେଉଁଠି ?
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ପାକିସ୍ତାନ ବିବାଦକୁ ନେଇ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଥିବା ଏସିଆ କପକୁ ନେଇ ବଡ଼ ଅପଡେଟ ମିଳିଛି । ଔପଚାରିକ ଭାବେ କିଛି ଘୋଷଣା ହୋଇ ନଥିଲେ ବି ଏସିଆ କପ୍ ଉପରୁ ବିପଦ ଟଳିବା ପରି ମନେ ହେଉଛି । କାରଣ ଏସିଆ କପ୍ ଖେଳାଯିବାକୁ ନେଇ ସକରାତ୍ମକ ସଙ୍କେତ ମିଳିବାରେ ଲାଗିଛି । ଏସିଆଇ କ୍ରିକେଟ ପରିଷଦ (ଏସିସି) ଆଗାମୀ ସପ୍ତାହରେ ଏହାକୁ ନେଇ ଔପଚାରିକ ଘୋଷଣା କରିପାରେ । ଆଶା କରାଯାଉଛି ଜୁଲାଇ ପ୍ରଥମ ସପ୍ତାହରେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚି ଜାରି କରାଯାଇପାରେ ।
୧୦ ଡିସେମ୍ବରରେ ଟୁର୍ଣ୍ଣାମେଣ୍ଟ !
ଯଦି ସବୁ ଯୋଜନା ମୁତାବକ ହେଲା ତେବେ ଟି୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ଦ୍ବିତୀୟ ସପ୍ତାହ ଅର୍ଥାତ ୧୦ ଡିସେମ୍ବରରୁ ଆରମ୍ଭ ହୋଇପାରେ । ପୂର୍ବ ପରି ଚଳିତବର୍ଷ ମଧ୍ୟ ଋଯି ଟିମ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ୟୁଏଇ ଅଂଶଗ୍ରହଣ କରିବେ ।
ଆୟୋଜନକୁ ନେଇ ୟୁଏଇ ଆଗରେ
ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଟୁର୍ଣ୍ଣାମେଣ୍ଟ କେଉଁଠି ହେବ ତାକୁ ନେଇ ବଡ଼ ପେଞ୍ଚ ରହିଛି । ଏଥର ଭାରତକୁ ଆୟୋଜକ ଦେଶ ଭାବେ ଯୋଜନା କରାଯାଇଛି । ହେଲେ ଏସିସି ପୂର୍ବରୁ ସ୍ଥିର କରି ରଖିଛି, ଭାରତ ଓ ପାକିସ୍ତାନ ମଧ୍ୟରୁ କାହାକୁ ଆୟୋଜନ ମିଳିଲେ ଏହା ନୀରପେକ୍ଷ ସ୍ଥାନରେ କରାଯିବ । ଏମିତି ସ୍ଥିତିରେ ଏସିଆ କପ୍ ଆୟୋଜନ ନେଇ ୟୁଏଇ ସମସ୍ତଙ୍କଠାରୁ ଆଗରେ ରହିଛି । ତେବେ ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଯେଉଁଥିରେ କିଛି ମ୍ୟାଚ୍ ଅଲଗା ଅଲଗା ଦେଶରେ ଖେଳା ଯାଇପାରେ ।
ଆଇସିସି ଘୋଷଣା ପରେ ବଦଳିଲା ସ୍ଥିତି
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଟୁର୍ଣ୍ଣାମେଣ୍ଟକୁ ନେଇ ସଙ୍କଟ ଦେଖା ଦେଇଥିଲା । ଭାରତର ବିଭିନ୍ନ ବର୍ଗରୁ ପାକିସ୍ତାନର ବହିଷ୍କାର ଦାବି କରାଯାଇଥିଲା । ଯାହା ଏସିଆ କପ୍ ହେବାକୁ ସନ୍ଦେହ ଭିତରକୁ ଟାଣି ନେଇଥିଲା । ତେବେ ନିକଟରେ ଆଇସିସିର ଘୋଷଣା ପରେ ସ୍ଥିତିରେ ପରିବର୍ତ୍ତନ ଦେଖା ଦେଇଛି ଓ ଏସିଆ କପ୍ ଆୟୋଜନ ନେଇ ଆଶା ସଞ୍ଚାର ହୋଇଛି ।
ସୂଚନାଯୋଗ୍ୟ, ନିକଟରେ ଆଇସିସି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଘୋଷଣା କରିଛି । ଗୋଟିଏ ମହିଳା ଦିନିକିଆ ବିଶ୍ବକପ୍ ଓ ଅନ୍ୟଟି ମହିଳା ଟି୨୦ ବିଶ୍ବକପ୍ । ଦିନିକିଆ ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ବେଳେ ଟି୨୦ ଇଂଲଣ୍ଡରେ ଖେଳାଯିବ । ଉଭୟ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରହିଛି । ଗୋଟିଏ ୫ ଅକ୍ଟୋବରରେ କଲୋମ୍ବୋରେ ଏବଂ ଦ୍ବିତୀୟଟି ୧୪ ଜୁନ ୨୦୨୬କୁ ଇଂଲଣ୍ଡର ଏଜବେଷ୍ଟନରେ ଖେଳାଯିବ ।