ଜୁଲାଇ ପହିଲାରୁ ଦେଶର ଦଣ୍ଡବିଧାନ ବ୍ଯବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ

ନୂଆଦିଲ୍ଲୀ: ଏବେ ହେବ ନ୍ଯାୟ । ଲାଗୁ ହେବ ଭାରତୀୟ ନ୍ଯାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା । ହଟିବ ୧୫୦ ବର୍ଷର ବ୍ରିଟିଶ ଅମଳର ଆଇପିସି ଓ ସିଆରପିସି । ତଦନ୍ତରେ ବ୍ଯବହାର ହେବ ଟେକ୍ନୋଲଜି, ମାନବାଧିକାରର ସୁରକ୍ଷାକୁ ଦିଆଯିବ ଗୁରୁତ୍ବ । ନୂଆ କ୍ରିମିନାଲ ଲ’ କାର୍ଯ୍ଯକାରୀ ନେଇ ସବୁ ରାଜ୍ଯର ଡିଜିପି, ଗୃହ ସଚିବ, ମୁଖ୍ଯ ଶାସନ ସଚିବଙ୍କ ସହିତ କେନ୍ଦ୍ର ଗୃହ ସଚିବଙ୍କ ଆଲୋଚନା । ରାଜ୍ଯର ପୋଲିସ ଅଧିକାରୀଙ୍କୁ ମଧ୍ଯ ଦିଆଯାଇଛି ଟ୍ରେନିଂ । ଜୁଲାଇରୁ ନୂଆ ଧାରାରେ ରୁଜୁ ହେବ ମାମଲା ।

ଜୁଲାଇ ପହିଲାରୁ ଦେଶର ଦଣ୍ଡବିଧାନ ବ୍ଯବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ । ଆଉ ରହିବ ନାହିଁ ୧୫୦ ବର୍ଷର ବ୍ରିଟିଶ ନିୟମ । ଉଠିଯିବ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ । ଇଣ୍ଡିଆନ୍ ପେନାଲ୍ କୋଡ୍ ବଦଳରେ ଆସିବ ଭାରତୀୟ ନ୍ୟାୟ ସଂହିତା । କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ବଦଳରେ ଲାଗୁ ହେବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ । ସେହିପରି ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ ପରିବର୍ତ୍ତେ କାର୍ଯ୍ଯକାରୀ ହେବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’ । ପୂର୍ବରୁ ୫୧୧ଟି ସେକ୍ସନ୍ ଥିବା ବେଳେ ଏବେ ୩୫୮ଟି ସେକ୍ସନ୍ ରହିବ ଓ ୧୭୫ଟି ସେକସନ୍ ସଂଶୋଧନ କରାଯିବ । ଜୁଲାଇରୁ ନୂଆ ଧାରାରେ ରୁଜୁ ହେବ ମାମଲା ।

ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟକୁ ହଟାଇବାକୁ କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ସଂଶୋଧନ ପ୍ରସ୍ତାବ ଆଣିଥିଲେ । ଡିସେମ୍ବରରେ ସଂସଦରେ ସଂଶୋଧନ ହେବା ପରେ ଫେବୃଆରିରେ ବାହାରିଥିଲା ନୋଟିଫିକେସନ । କୁହାଯାଉଛି, ଆଗରୁ ଅପରାଧକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏବେ ଫୋକସରେ ରହିବ ନ୍ୟାୟ । ନୂଆ ନିୟମ କାର୍ଯ୍ଯକାରୀ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଏକ ବୈଠକ କରିଥିଲେ । ଯେଉଁଥିରେ ଯୋଗ ଦେଇଥିଲେ ମୁଖ୍ଯ ଶାସନ ସଚିବ, ଡିଜି ଓ ଗୃହ ସଚିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ପୋଲିସ ଅଫିସରଙ୍କୁ ଦିଆଯାଇଛି ଟ୍ରେନିଂ। ନୂଆ ନିୟମ କାର୍ଯ୍ଯକାରୀ କରିବାକୁ ଅତିରିକ୍ତ ଡିଜି କ୍ରାଇମଙ୍କ ଅଧ୍ଯକ୍ଷତାରେ ଏକ କମିଟି କରାଯାଇଥିବା ବେଳେ ଗୃହ ବିଭାଗ ଆଡିସିନାଲ ଚିଫ୍ ସେକ୍ରେଟାରୀଙ୍କ ଏକ ଷ୍ଟିଅରିଂ କମିଟି କରାଯାଇଛି ।

ନୂଆ ଆଇନରେ ମାନବାଧିକାର ସୁରକ୍ଷା, ତଦନ୍ତରେ ଟେକ୍ନୋଲଜିର ବ୍ଯବହାରକୁ ଦିଆଯାଇଛି ଗୁରୁତ୍ବ । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସିରେ ବିଚାର କରାଯିବ । ତା’ପରର ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁସାରେ ହେବ ।