ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ NEET ମାର୍କ ପ୍ରକାଶ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ଏନଟିଏକୁ ଦେଲେ ନିର୍ଦ୍ଦେଶ । ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ପିଲାଙ୍କ ମାର୍କ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପରିଚୟ ଗୋପନ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

ପରୀକ୍ଷା କେନ୍ଦ୍ର ଓ ସହର ଅନୁୟାୟୀ ମାର୍କ ପ୍ରକାଶ କରାଯିବା ଦ୍ବାରା କେଉଁଠି ଅନିୟମିତତା ହୋଇଛି, କେତେ ପରିମାଣର ଜାଲିଆତି ହୋଇଛି ଓ କିଏ କିଏ ଏହାର ଫାଇଦା ପାଇଛନ୍ତି, ତାର ପ୍ଯାଟର୍ଣ୍ଣ ଜଣାପଡ଼ିବ ବୋଲି କୁହାଯାଉଛି ।

ନିଟ୍ ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ଅନିୟମିତା ନେଇ ହୋଇଥିବା ପିଟିସନ ଗୁଡିକର ଶୁଣାଣି ବେଳେ ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେତେକ ଛାତ୍ରଛାତ୍ରୀ ପୁଣି ଥରେ ଏଣ୍ଟ୍ରାନ୍ସ କରିବାକୁ ଦାବି କରିଥିଲେ । ପ୍ରଶ୍ନପତ୍ର ଲିକ୍ ନେଇ ବିହାର ପୋଲିସକୁ ମଧ୍ୟ ରିପୋର୍ଟ ମଗାଯାଇଛି । ହଜାରିବାଗ, ପାଟନାରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଏହା କେତେ ବ୍ଯାପକ ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । ଡାକ୍ତରୀ ପଢିବା ପାଇଁ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଗତ ମେ’ ୫ରେ ପ୍ରାୟ ୨୪ ଲକ୍ଷ ପିଲା ନିଟ୍ ଦେଇଥିଲେ ।