ନିଟ୍ ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ଲିକ୍ ହୋଇଥିଲା ପେପର୍ !

ଭୁବନେଶ୍ବର: ନିଟ୍ ବିବାଦ ଯେତେ ଘନାଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ଯାହା ଯେମିତି ଚାଞ୍ଚଲ୍ୟକର । ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ନିଟ ପେପର ହୋଇଥିଲା ଲିକ୍। ପ୍ରାୟ ୩୦ରୁ ୩୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ପେପର । ଏହା ସ୍ବୀକାର କରିଛନ୍ତି ବିହାରରୁ ଗିରଫ ହୋଇଥିବା ଅଭିଯୁକ୍ତ ସିକନ୍ଦର । ସେ ନିଟ୍ ସ୍କାମରେ ଜଡ଼ିତ ଥିବା ସୂଚନା ମିଳିଛି ।

ସିକନ୍ଦର ବି ଅନ୍ଯ କେତେକ ନିଟ ପରୀକ୍ଷାର୍ଥୀଙ୍କ ସହ ଯୋଗସୂତ୍ରରେ ଥିଲା । ମେ’ ୪ରେ ସେମାନେ ପ୍ରଶ୍ନପତ୍ର ପାଇଥିଲେ । ଏହି ଘଟଣାରେ ନିଜର ସମ୍ପୃକ୍ତି ନେଇ ସ୍ବୀକାର କରିଛନ୍ତି ଅନ୍ଯ ଅଭିଯୁକ୍ତ ଅମିତ ଓ ନୀତୀଶ । ସେପଟେ ନିଟ ବିବାଦ ପରିପ୍ରେକ୍ଷୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସେ ଏନଟିଏର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି । ଛାତ୍ରଛାତ୍ରୀ ଏହି ଅନିୟମତିତାର ଅଯଥା ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି ।

ସେପଟେ କେନ୍ଦ୍ର ବିରୋଧରେ ଏକ ହେବାରେ ଲାଗିଛନ୍ତି ବିରୋଧୀ । ନିଟରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଥିବାବେଳେ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ । ନିଟ ବିବାଦ ପରିପ୍ରେକ୍ଷୀରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ଡିଏମକେ ଅଭିଯୋଗ କରିଛି । ଏପରିକି ବିଭିନ୍ନ କୋଚିଂ ସେଣ୍ଟରକୁ ଏନଟିଏ ପ୍ରୋତ୍ସାହନ ଦେଇଆସୁଛି ବୋଲି ଦଳ କହିଛି ।

ସେହିପରି କଂଗ୍ରେସ ବି ସୁପ୍ରିମକୋର୍ଟ ନେତୃତ୍ବରେ ତଦନ୍ତ କରାଯାଉ ବୋଲି ଦାବି କରିଛି । ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ରଖିବା ସହ ପେପର ଲିକ୍ ହୋଇଥିବା ଅଭିଯୋଗ ନେଇ ସାରା ଦେଶରେ ଜାରି ରହିଛି ତମ୍ବି ତୋଫାନ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ନିଟ୍ ସ୍କାମ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଅନ୍ଧାର କରିଦେଇଛି ।