ଅଜିତ ପୱାରଙ୍କୁ ଝଟକା, ଶପଥଗ୍ରହଣ ଉତ୍ସବରେ ସାମିଲ ସାଂସଦ କହିଲେ ମୁଁ ଶରଦ ପୱାରଙ୍କ ସହ ଅଛି

ମୁମ୍ବାଇ: ଦାଦା ଶରଦ ପୱାର ଏବଂ ଦଳ ସହ ବିଦ୍ରୋହ କରି ଏନସିପି ନେତା ଅଜିତ ପୱାର ନିଜ ସମର୍ଥକଙ୍କୁ ନେଇ ଏନଡିଏକୁ ସମର୍ଥନ ଦେଇଛନ୍ତି । ମହାରାଷ୍ଟ୍ରର ସିନ୍ଧେ ସରକାରକୁ ସେ ସମର୍ଥନ ଦେଇଛନ୍ତି । ଗତକାଲି ନିଜର ୮ ବିଧାୟକଙ୍କ ସହ ଶପଥ ନେଇଥିଲେ ଅଜିତ । ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟ ୮ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅଜିତ କହିଥିଲେ ଯେ ସେ ଏନସିପି ଛାଡ଼ିନାହାନ୍ତି ବରଂ ଏନସିପି ତାଙ୍କ ପାଖରେ ଅଛି । କାରଣ ଏନସିପିର ସବୁ ବିଧାୟକ ଏବଂ ସାଂସଦ ତାଙ୍କ ସହ ଅଛନ୍ତି ।

ହେଲେ ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ତାଙ୍କ ଗୋଷ୍ଠୀରେ ଛିଦ୍ର ଦେଖାଯାଇଛି । ଏନସିପି ସାଂସଦ ଅମୋଲ କୋହ୍ଲେ ସ୍ୱର ବଦଳାଇଛନ୍ତି ଏବଂ କହିଛନ୍ତି ଯେ ସେ ଶରଦ ପୱାରଙ୍କ ସହ ଅଛନ୍ତି ବୋଲି । ତେବେ କୋହ୍ଲେ ଗତକାଲି ରାଜଭବନରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ସାମିଲ ଥିଲେ । କୋହ୍ଲେ ଶରଦଙ୍କୁ ସମର୍ଥନ ଦେବା ଅଜିତଙ୍କ ପାଇଁ ବଡ଼ ଝଟକା ଭାବେ ଜଣାଯାଉଛି । ଶିରୁର ଲୋକସଭା ଆସନରୁ ଏନସିପିର ସାଂସଦ ଅମୋଲ କୋହ୍ଲେ ଏକ ଭିଡିଓ ଟ୍ୱିଟ କରି ଲେଖିଛନ୍ତି, ଯେବେ ହୃଦୟ ଓ ମସ୍ତିକରେ ଯୁଦ୍ଧ ହୁଏ ତେବେ ହୃଦୟର ଶୁଣ । କାରଣ ଅଧିକାଂଶ ସମୟରେ ମସ୍ତିଷ୍କ ନୈତିକତା ଭୁଲିଯାଇଥାଏ.. କିନ୍ତୁ ହୃଦୟ କେବେ ଭୁଲିନଥାଏ ।

ଏପଟେ ଏନସିପି ଅଧ୍ୟକ୍ଷ ଶରଦ ପୱାର ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । କିଛି ନେତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବାହାର କରାଯାଇଛି । ସେହିପରି ଆଜି ସତାରାଠାରେ ଶରଦ ପୱାର ଜନସଭା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶରଦ କହିଛନ୍ତି ଏହି ବିଦ୍ରୋହ ତାଙ୍କ ପାଇଁ ନୂଆ ନୁହେଁ । ଏପରି ଘଟଣା ପୂର୍ବଦିନମାନଙ୍କରେ ମଧ୍ୟ ଘଟିସାରିଛି ଏବଂ ସେ ଏହାର ମୁକାବିଲା ମଧ୍ୟ କରିଛନ୍ତି । ଯେଉଁମାନେ ତାଙ୍କ ସାଥ୍ ଛାଡ଼ିଛନ୍ତି ତାଙ୍କ ରାଜନୈତିକ କ୍ୟାରିଅର ସମାପ୍ତ ହୋଇଯାଇଛି । ତେଣୁ ଏବେ ଯେଉଁ ସଂକଟ ଉପୁଜିଛି ତାର ମଧ୍ୟ ନିରାକରଣ ହେବ ବୋଲି ପୱାର କହିଛନ୍ତି ।