ନୟାଗଡ଼ରେ ନିର୍ମାଣ ହେବାକୁ ଥିବା ବୃତ୍ତଙ୍ଗ ଜଳସେଚନା ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ, ପୂରଣ ହେବ ୪ ଦଶନ୍ଧିର ସ୍ବପ୍ନ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ନିର୍ମାଣ ହେବାକୁ ଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ  ମିଳିଛି ।  ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ହେଲା ଏହି ବୃହତ ଜଳସେଚନ ପ୍ରକଳ୍ପ ଜଙ୍ଗଲ ଅନୁମତି ନପାଇ ପଡ଼ି ରହିଥିଲା। ଏବେ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଜିଲ୍ଲାର କୃଷି ଓ କୃଷକଙ୍କ ପାଇଁ ଏହା ବରଦାନ ସାଜିବ ବୋଲି କୁହାଯାଉଛି ।

ନୟାଗଡ଼ ଜିଲ୍ଲାବାସୀଙ୍କ ୪ ଦଶନ୍ଧିର ସ୍ଵପ୍ନ ପୂରଣ ହେବାକୁ ଯାଉଛି। ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ମିଳିଛି ଜଙ୍ଗଲ ବିଭାଗର ଅନୁମୋଦନ। ୧୫୨୪ ହେକ୍ଟର ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାମ ପାଇଁ ଅନୁମତି ମିଳିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଞ୍ଜାରୀ ଗାଁରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ  ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି। ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ କରିବାକୁ ପାଇଁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଛି। ଅବଶ୍ଯ ସମ ପରିମାଣରେ ଅଣଜଙ୍ଗଲ ଅଞ୍ଚଳରେ ବନୀକରଣ ସହିତ ନିର୍ଦ୍ଦେଶାବଳୀର ଅନୁପାଳନ କରିବାକୁ ରହିଛି ନିର୍ଦ୍ଦେଶ । ଏହି ପ୍ରକଳ୍ପ କାର୍ଯ୍ଯକ୍ଷମ ହେଲେ ୨୩ ହଜାର ହେକ୍ଟରରୁ ଅଧିକ ଚାଷଜମିକୁ ପାଣି ମାଡ଼ି ମାଡିବ। ଉପକୃତ ହେବେ ଚାଷୀ ।

ଚାଷୀଙ୍କ ଉନ୍ନତି ପାଇଁ ପୂର୍ବ ବିଜେଡି ସରକାର ବହୁ ଯୋଜନା କରିଛନ୍ତି। ସେଥି ମଧ୍ଯରୁ ବୃତଙ୍ଗ ଯୋଜନା ଅନ୍ୟତମ । ମଂଜାରି ଗାଁର ମାଈ ଓ ଢାବଲଦେଇ ପାହାଡ଼କୁ ସଂଯୋଗ କରି ଏହି ପ୍ରକଳ୍ପ ନିର୍ମାଣ କରାଯିବ। ପୂର୍ବର ବିଜେଡି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୭୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ମଞ୍ଜାରୀ ଗାଁରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନୟାଗଡ଼ ଜିଲ୍ଲାର ୮ ବ୍ଲକ ସହିତ ପଡୋଶୀ ଖୋର୍ଦ୍ଧା ଜିଲ୍ଲାର ବହୁ ଚାଷଜମିକୁ ପାଣି ମାଡିପାରିବ । ଉପକୃତ ହେବେ ସଂଖ୍ୟାଧିକ ଚାଷୀ । ଦୂର ହେବ ମରୁଡି ସମସ୍ୟା । ତେଣୁ ଏଭଳି ପଦକ୍ଷେପ ପାଇଁ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଂଚଳବାସୀ।

ପ୍ରଥମ ପର୍ଯ୍ଯାୟ ମଂଜୁରୀ ପରେ ରାସ୍ତା କାମ ସହ ପ୍ରକଳ୍ପ କାମ ଚାଲିଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟ ଅନୁମୋଦନ ମିଳିବା ପରେ ନୟାଗଡ଼ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟିବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରକଳ୍ପ ହେଲେ କିଛି  ଅଞ୍ଚଳ ଜଳମଗ୍ନ ହେବାର ବି ଆଶଙ୍କା ଅଛି ।