ପଞ୍ଜାବ ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ, ଏ ଖବର ମିଛ ଥିଲେ ଆଉ ରାଜନୀତି କରିବେନି କହିଲେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲ ଭିତରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ । ବଡକଥା ହେଉଛି ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ ସେ ରାଜନୀତିରୁ ସନ୍ନ୍ଯାସ ନେବେ ବୋଲି କହିଛନ୍ତି ସିଦ୍ଧୁ । ଜେଲ୍ ଭିତରେ ନିଶାଦ୍ରବ୍ଯ ବିକ୍ରି ହେଉଥିଲେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମୁଖ୍ଯମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ ଟାର୍ଗେଟ କରିଛନ୍ତି ।

ମୁଖ୍ଯମନ୍ତ୍ରୀଙ୍କ ହାତରେ ଜେଲ୍ ବିଭାଗ ଥିଲେ ବି କିପରି ଜେଲରେ ଡ୍ରଗ୍ସ ବିକ୍ରି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । 1988ରେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ 10 ମାସ ଜେଲଦଣ୍ଡ ଭୋଗିଥିବା ସିଦ୍ଧୁଙ୍କ ବୟାନ ଚାଞ୍ଚଲ୍ଯ ସୃଷ୍ଟି କରିଛି । 1988ର ରୋଡରେଜ ଘଟଣାରେ ପାଟିଆଲାରେ ଗୁରନାମ ସିଂଙ୍କ ମୃତ୍ଯୁ ହୋଇଥିଲା । ନିଶାଦ୍ରବ୍ୟ ସେବନ ସମ୍ପର୍କରେ ସବିଶେଷ ବିବରଣୀ ଦେବା ଲାଗି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ସିଦ୍ଧୁଙ୍କ ବିସ୍ଫୋରକ ବୟାନ ରାଜ୍ୟ ସରକାରଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟିକରିଛି ।