ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିରେ ବିଜୟ ପରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ଲାଗି ଚାମ୍ପିଅନ୍ସ ଟ୍ରଫି ହାତେଇବା ମୁହୂର୍ତ୍ତ ଆଶ୍ଚର୍ଯ୍ୟଜନକ ବିଜୟ। ମେନ ଇନ ବ୍ଲୁ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟ୍ରଫି ହାତେଇଛି। ଟିମ ଇଣ୍ଡିଆର ଏହି ବିଜୟରେ ସାରା ଦେଶ ଗର୍ବିତ ବୋଲି କହିଛନ୍ତି। ଟିମ ଇଣ୍ଡିଆର ଏହି ବିଜୟ ଲାଗି ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
କହି ରଖୁଛୁ କି, ଭାରତ ବିଶ୍ଵ ବିଜୟୀ। ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହେଲା ଭାରତ। ପ୍ରତିନ୍ଦ୍ଵନ୍ଦ୍ଵୀ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟ୍ରଫି ଇତିହାସ ରଚିଲା ଟିମ ଇଣ୍ଡିଆ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ବାଜିମାତ କରିଛି ଭାରତ। ବିଶ୍ଵର ଏକମାତ୍ର ଦେଶ ଭାବେ ତୃତୀୟ ଥର ଲାଗି ଚାମ୍ପିଅନ୍ସ ଟ୍ରଫି ହାତେଇଲା ଟିମ ଇଣ୍ଡିଆ। ୨୫୨ ରନର ଟାର୍ଗେଟକୁ ୬ ୱିକେଟ ହରାଇ ହାତେଇ ନେଇଥିବା ରୋହିତ ବାହିନୀ। ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ୭୬ ରନ ବଳରେ ବିଜୟ ହାସଲ କରିଛି ଭାରତ। ଶ୍ରେୟସ ଆୟାର ଦ୍ଵିତୀୟ ସର୍ବାଧିକ ୪୮ ରନ କରିଥିଲେ।କେଏଲ ରାହୁଲଙ୍କ ୩୪, ଶୁବମନ ଗିଲ ୩୧, ଅକ୍ଷର ପଟେଲ ୨୯, ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ କରିଥିଲେ। ଗୋଟିଏ ଓଭର ଥାଇ ଟାର୍ଗେଟକୁ ହାସଲ କରିଥିଲା ଟିମ ଇଣ୍ଡିଆ।… ଟସ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୭ ୱିକେଟ ହରାଇ କରିଥିଲା ୨୫୧ ରନ। ଦଳ ପାଇଁ ଡାରିଲ ମିଚେଲ ସର୍ବାଧିକ ୬୩ ରନ କରିଥିଲେ। ଦୁବାଇ ପିଚରେ ଚାଲିଥିଲା ଭାରତୀୟ ସ୍ପିନରଙ୍କ ଯାଦୁ। ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା। ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା। ଦ୍ରୁତତମ ବୋଲର ମହମ୍ମଦ ସାମି ମାତ୍ର ଗୋଟିଏ ୱିକେଟ ନେଇଥିଲା। ପ୍ରଥମରୁ ଦମଦାର ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳ ସ୍ପିନ ବୋଲିଂର ସାମନା କରିବାରେ ଫେଲ ମାରିଥିଲା। ଦୀର୍ଘ ୧୨ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫି ହାତେଇଛି ଟିମ ଇଣ୍ଡିଆ। ଭାରତର ଏହି ବିଜୟରେ ଦୁଲୁକିଥିଲା ପୁରା ପରିବେଶ। ସାରା ଦେଶରେ ବାଣ ଫୁଟାଇ ବାଜା ବଜାଇ ସେଲିବ୍ରେଶନ କରିଛନ୍ତି ପ୍ରଶଂସକ। ଭାରତ ସମେତ ଦୁବାଇ ସହ ଅନ୍ୟ କିଛି ଦେଶରେ ମଧ୍ୟ ଭାରତୀୟ ପ୍ରଶଂସକ ବିଜୟକୁ ଧୁମଧାମର ସହ ପାଳନ କରିଥିଲେ।