ଏଣିକି ସବୁ କର୍ମଚାରୀ ଓ ଜନ ପ୍ରତିନିଧି ପ୍ରତିବର୍ଷ ଦେବେ ସମ୍ପତ୍ତି ତାଲିକା

1 min read
Naveen Sets Example Working Had By Transparency And Anti Corruption

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ବିକାଶର ସବୁଠୁ ବଡ଼ ଶତ୍ରୁ ବୋଲି କହିଛନ୍ତି । ରାଜ୍ୟ ପରିଷଦ ବୈଠକରେ ନବୀନ ସମସ୍ତଙ୍କ ଠାରୁ ୨ଟି ଲେଖାଏଁ ପ୍ରସ୍ତାବ ଆହ୍ୱାନ କରିଥିଲେ । ମିଳିଥିବା ପ୍ରସ୍ତାବକୁ ନେଇ ବିଜେଡି ସଭାପତି ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆପଣମାନେ ବହୁଚ ଭଲ ପ୍ରସ୍ତାବ ଦେଇଛନ୍ତି । ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଏଥିସହ ନବୀନ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ଅଭିଭାଷଣ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ- ମୁଁ ବହୁତ ଖୁସି, ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିଛି । ସେହିପରି ପଛୁଆ ବର୍ଗ ସର୍ଭେ ସମ୍ପର୍କରେ ଭଲ ପ୍ରସ୍ତାବ ଆସିଛି । ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ନବୀନ । ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ ବିଷୟ । ଆଜି ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Naveen Sets Example Working Had By Transparency And Anti Corruption

ବୈଠକରେ ପାରିତ ପ୍ରସ୍ତାବକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ପଠାଯିବ । ଏଥିରେ ଆମ ସାଂଗଠନିକ ସଚିବ ଏହାର ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଯୁବ ଜନତା ଦଳର ବୈଠକରେ ନବୀନ ଆଞ୍ଚଳିକ ଦଳର ଭୂମିକା ବିଷୟରେ କହିଥିଲେ । ଭାଷା ଭିତ୍ତିରେ ଗଠିତ ହୋଇଥିବା ଗୋଟିଏ ଆଞ୍ଚଳିକ ଦଳର ଭୂମିକା ବିଷୟରେ କହିଥିଲେ । ଆମ ଅନନ୍ୟ ପରିଚୟ ସୁରକ୍ଷା ବିଷୟରେ କହିଥିଲେ ।

ରାଜ୍ୟ ପରିଷଦ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ଆମ ସରକାର ଦୁର୍ନୀତି ବିରୋଧରେ ଲଢ଼ୁଛି । ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ । ଆମେ ଗରିବୀ ବିରୋଧରେ, ରୋଗ ବିରୋଧରେ, ଆଞ୍ଚଳିକ ଅସମତା ବିରୋଧରେ, ପ୍ରାକୃତିକ ବିପର୍ଯ୍ୟ ବିରୋଧରେ, ଅସମାନତା, ଅନ୍ୟାୟ ବିରୋଧରେ ଲଢ଼େଇ କରୁଛୁ । ଦୁର୍ନୀତିର ମୂଳୋତ୍ପାଟନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ନ ଦେଲେ ଏସବୁ ଲଢ଼େଇ ମୂଲ୍ୟହୀନ ହୋଇଯିବ ।

  • ଆମ ସରକାର ଆରମ୍ଭରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି
  • ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ: ମୁଖ୍ୟମନ୍ତ୍ରୀ
  • ଆମେ ଗରିବୀ, ରୋଗ, ଆଞ୍ଚଳିକ ଅସମତା ବିରୋଧରେ ଲଢ଼ୁଛୁ
  • ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ଅପାରଗତା ବିରୋଧରେ ଲଢ଼େଇ
  • ସ୍ୱଚ୍ଛତା ଉପରେ ଗୁରୁତ୍ୱ, ଦୁର୍ନୀତି ମୂଳୋତ୍ପାଟନ ନକଲେ ମୂଲ୍ୟହୀନ ହେବ ଲଢ଼େଇ
  • ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ ଦେଶରେ ଆମ ପାଇଁ ସୁନାମ ଆଣିଛି
  • ଦୁର୍ନୀତି ମାମଲାର ବିଚାର କିମ୍ବା ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା
  • ଦୁର୍ନୀତିଗ୍ରସ୍ତଙ୍କର ସମ୍ପତ୍ତି ବାଜ୍ୟାପ୍ତି, ସବୁଥିରେ ଆମ ରାଜ୍ୟ ଆଗରେ
  • ବର୍ଷକ ମଧ୍ୟରେ ୯୧ ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଚାକିରିରୁ ବରଖାସ୍ତ
  • ସରପଞ୍ଚଙ୍କ ଠାରୁ ମନ୍ତ୍ରୀ ସମସ୍ତଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣ ହେବ
  • ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ

ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ ରାଜ୍ୟ ପାଇଁ ସାରା ଦେଶରେ ସୁନାମ ଆଣିଦେଇଛି । ଦୁର୍ନୀତି ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେଉ ଅବା ଦୁର୍ନୀତିଗ୍ରସ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି । ଏ ସବୁଥିରେ ଆମ ରାଜ୍ୟ ସବୁଠାରୁ ଆଗରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ନବୀନ ଆହୁରି କହିଛନ୍ତି- ଦୁର୍ନୀତି କରୁଥିବା କର୍ମଚାରୀ ଯେତେ ଉଚ୍ଚପଦରେ ଥାଆନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ସବୁବେଳେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନେକ କ୍ଷେତ୍ରରେ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଉଛି । ଗତ ବର୍ଷକ ମଧ୍ୟରେ ୯୧ ଜଣ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବରଖାସ୍ତ କରାଯିବା ସହ ପେନସନ୍ ବନ୍ଦ କରାଯାଇଛି ।

Naveen Sets Example Working Had By Transparency And Anti Corruption

ମୁଖ୍ୟମନ୍ତ୍ରୀ କହିଛନ୍ତି- ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ । ଏବଂ ଏହା ଜନସାଧାରଣଙ୍କ ସୂଚନା ନିମନ୍ତେ ସର୍ବସାଧାରଣ କରାଯିବ । ସେହିଭଳି ସମସ୍ତ ସରକାରୀ କର୍ମଚାରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ । ଏହାକୁ ମଧ୍ୟ ସର୍ବସାଧାରଣ କରାଯିବ । ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ ।

ଦୁର୍ନୀତି ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ । ଏବଂ ଅନ୍ୟ ରାଜ୍ୟ ମାନଙ୍କୁ ଏ ଦିଗରେ ବାଟ ଦେଖାଇବ ବୋଲି ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

https://www.youtube.com/watch?v=VoiW5XkMozo

 

Leave a Reply