କାଲିଠୁ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନ, ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହାକୁ ଶଂଖ ଭବନରେ ଶୁଭାରମ୍ଭ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏଥିରେ ପୁରୁଣା ସଦସ୍ୟଙ୍କ ସଦସ୍ୟତା ନବୀକରଣ ହେବା ସହ ନୂତନ ସଦସ୍ୟଙ୍କୁ ଯୋଡ଼ାଯିବ । ଯାହା ଉଭୟ ମାନୁଆଲି ଓ ଡିଜିଟାଲି କରାଯିବ । ଶଂଖ ଭବନରେ ଶୁଭାରମ୍ଭ ସହ ସାରା ଓଡ଼ିଶାରେ ଥିବା ବିଜେଡିର ସାଂଗଠନିକ ଜିଲ୍ଲାରେ ଏହା ଭର୍ଚୁଆଲ ମାଧ୍ୟମରେ କରାଯିବ । ପ୍ରଥମ ସଦସ୍ୟ ଭାବେ ସଦସ୍ୟତା ନବୀକରଣ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

କାଲି ଗୋପବନ୍ଧୁ ଜୟନ୍ତୀରୁ ଦଳ ଆରମ୍ଭ କରିବାକୁ ଯାଉଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ସକାଳ ୧୧ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ । ଯେଉଁଥିରେ ଦଳର ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ । ଠିକ୍ ସେହି ସମୟରେ ସଦର ମହକୁମା ଓ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଯେଉଁଥି ପାଇଁ ସମସ୍ତ ସାଂଗଠନିକ ଜିଲ୍ଲାରେ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ । ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ । ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଏକ କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ବିଜେଡି ଟାର୍ଗେଟ ରଖିଛି । ତେବେ ଏଥର ନୂଆ ସଦସ୍ୟ ସହ ଗତ ଥରର ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯିବ । ନବୀନ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିବା ସହ ସାରା ରାଜ୍ୟରେ ବିଜେଡି ଆରମ୍ଭ କରିବ ସଦସ୍ୟ ସଂଗ୍ରହର ମେଗା ଅଭିଯାନ । ଯାହା ଆସନ୍ତା ଦୁଇ ମାସ ଯାଏଁ ଏହା ଚାଲିବ ।

ଗତ ଅକ୍ଟୋବର ୬ ତାରିଖରେ ବିଜେଡିର ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ୨୨ଟି ଜିଲ୍ଲାରେ ସଫଳତା ସହ ସରିଛି । ଅକ୍ଟୋବର ୨୧ରୁ ୩୦ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରାଯିବ । ଯାହା ଅଧିକରୁ ଅଧିକ ଗ୍ରାମୀଣ ଓଡ଼ିଶାରେ କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । ଏଥର ପଦଯାତ୍ରାରେ ନବୀନ ପଟ୍ଟନାୟକ ସରକାର ସମୟର ବିକାଶ କାର୍ଯ୍ୟକ୍ରମ ଓ ବର୍ତ୍ତମାନ ସରକାରଙ୍କ ବିଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଦସ୍ୟ ସଂଗ୍ରହକୁ ବି ଫୋକସ କରାଯିବ ।

ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ବାର୍ଥ ଦିଗରେ କାମ କରିବା ହିଁ ଲୋକଙ୍କୁ ଅଧିକରୁ ଅଧିକ ଯୋଡ଼ିବାର ଏକ ମାତ୍ର ମାଧ୍ୟମ । ଆଜି ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି । କାରଣ ଗତ ୨୪ ବର୍ଷରେ ନବୀନ ବୁଣିଥିଲେ ବିକାଶର ମଞ୍ଜି । ହେଲେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ଡବଲ ଇଞ୍ଜିନ ସରକାର, ତାହାର ବିପରୀତ ଦିଗରେ କାମ କରୁଥିବା ଲୋକେ ଅନୁଭବ କଲେଣି । ଯାହା ବିଜେଡି ସହ ପୁଣି ଥରେ ଅଧିକରୁ ଅଧିକ ଲୋକ ଯୋଡ଼ିବାର ବଡ଼ ସାଧନ ସାଜିବାର ଆଶା ରଖାଯାଇଛି ।