୭୯ ବର୍ଷରେ ପାଦଦେବେ ବିକାଶ ପୁରୁଷ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତାକାଲି ୭୯ ବର୍ଷରେ ପାଦଦେବେ ଓଡ଼ିଶାର ମହାନାୟକ ନବୀନ ପଟ୍ଟନାୟକ । ଜନନେତାଙ୍କ ଜନ୍ମଦିନକୁ ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରିବ ବିଜୁ ଜନତା ଦଳ । ନିର୍ବାଚନ ମଣ୍ଡଳି ଠୁ ଶଙ୍ଖଭବନ ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ ହେବ । ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି ଓଡ଼ିଆଙ୍କ ପରିବାରର ମୁଖିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ । ବିଗତ ୨୪ ବର୍ଷରେ ନବୀନଙ୍କ ନେତୃତ୍ବରେ ଗଠନ ହୋଇଛି ବିକଶିତ ଓ ନୂଆ ଓଡ଼ିଶା ।

ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିଲା ସ୍ବତନ୍ତ୍ର ପରିଚୟ । ଶାନ୍ତି, ମୈତ୍ରୀ ଓ ଭାରଚାରା ବି ବଜାୟ ରହିଥିଲା । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ଜନସେବାକୁ ମୂଳମନ୍ତ୍ର କରି ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛି । ଅନ୍ୟପଟେ ନୂଆ ବିଜେପି ସରକାର ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

ଓଡ଼ିଶା ରାଜନୀତିରେ ଯଦି ଏହି ଧାରା ବଜାୟ ରହିବ ତେବେ ବିଜେଡି ଆଗକୁ ଆହୁରି ଶକ୍ତିଶାଳୀ ହେବ । ରାଜନୈତିକ ସମୀକ୍ଷକମାନେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଓ ଦୃଢ ନେତୃତ୍ବ ବିଜେଡିର ପୁଞ୍ଜି ବୋଲି କହିଛନ୍ତି ।

ଶାସନରେ ଥିବାବେଳେ ନବୀନ ଯେମିତି ଲୋକଙ୍କ ସେବା କରୁଥିଲେ ବିରୋଧୀ ଆସନରେ ଥାଇ ବି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି । ଯାହାକି ବିଜେଡିକୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ସାଜିଛି ।