ପଦମପୁର ଉପନିର୍ବାଚନ; ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ

ପଦମପୁର: ଆଜି ପଦମପୁର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦମପୁର ଯାଇ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ ନବୀନ । ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିପାଇଁ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ ।

୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚିବେ । ସକାଳ ୧୧ଟା ୨୫ ମିନିଟରେ ଝାରବନ୍ଧ ଓ ୧୨ଟା ୩୦ରେ ପାଇକମାଳ ହାଇସ୍କୁଲ ପଡ଼ିଆରେ ନିର୍ବାଚନୀ ସଭାରେ ଯୋଗଦେବେ । ଅପରାହ୍ନ ୩ଟା ୩୦ରେ ପଦମପୁର ହାଇସ୍କୁଲ ପଡ଼ିଆରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବିଜେଡି ନେତା ଓ କର୍ମୀ ବେଶ୍‌ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପ୍ରତି ଜନସମର୍ଥନ ଦିନକୁ ଦିନ ବଢୁଛି। ନବୀନଙ୍କ ପ୍ରଚାର ଆହୁରି ଭୋଟ୍ ବଢ଼ାଇବ ବୋଲି ଦଳର ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି । ଏଥିପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଓ ଭିଆଇପିଙ୍କ ସୁରକ୍ଷା ସାଙ୍ଗକୁ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ପାଇଁ ବ୍ୟବସ୍ଥା କରାଯାଇଛି ।