ବିଜେପି ସରକାର ଆସୁ ଆସୁ ରାଜ୍ୟକୁ ଫେରିଲା ଅନାହାର ମୃତ୍ୟୁ: ନବୀନ

ଭୁବନେଶ୍ବର: ନବୀନଙ୍କୁ କଷ୍ଟ ଦେଇଛି ଆମ୍ବ ଟାକୁଆ ଖାଇ ନିରୀହ ଲୋକଙ୍କ ମୃତ୍ୟୁ ଘଟଣା । କାରଣ ତାଙ୍କ ଶାସନ କାଳର ୨୪ ବର୍ଷରେ କେବେ ବି କେହି ଭୋକରେ ମରି ନଥିଲେ । ହେଲେ ବିଜେପି ସରକାର ଆସୁ ଆସୁ ଆରମ୍ଭ ହୋଇଗଲା ଅନାହାର ମୃତ୍ୟୁ । ଏପରି କହି ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଠିକ୍ ସମୟରେ ମିଳିଲାନି ଚାଉଳ। ଯେଉଁଥି ପାଇଁ ଗରିବ ଆଦିବାସୀ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇବାରୁ ଚାଲିଗଲା ୨ ଜଣଙ୍କ ଜୀବନ । ଲୋକଙ୍କ ଖାଦ୍ୟ ସୁରକ୍ଷା ସହ ସାଲିସ୍ ନ କରିବାକୁ ବିଜେପି ସରକାରକୁ ଚେତାବନୀ ଦେଇଛନ୍ତି ନବୀନ ।

ବିଜେପି ଆସିଲା, ଫେରିଲା ଭୋକର ଭୂଗୋଳ । ପ୍ରମାଣିତ କଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଆମ୍ବ ଟାକୁଆ ଟ୍ରାଜେଡି । ସାରା ବିଶ୍ବରେ ନିନ୍ଦିତ ହେଲା ଓଡ଼ିଶା । ଦିନ ଥିଲା, ଭୋକର ଭୂଗୋଳରୁ ଓଡ଼ିଶାକୁ ବାହାର କରି ବିକାଶର ପ୍ରୟୋଗଶାଳାରେ ପରିଣତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ଅଭାବରୁ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଥିଲା ଓଡ଼ିଶା । ଆଦିବାସୀଙ୍କ ପାଖରେ ପହଞ୍ଚୁଥିଲା ଚାଉଳ । ହେଲେ ଏବେ ଚାଉଳ ପାଉନାହାନ୍ତି ଗରିବ ଆଦିବାସୀ । ଭୋକ ମିଟାଇବାକୁ ଖାଉଛନ୍ତି ଆମ୍ବ ଟାକୁଆ । ଯାହାର ଫଳ ସ୍ବରୂପ ଅକାଳେ ଗଲା ୨ ଜଣଙ୍କ ଜୀବନ । ମୃତ୍ୟ ସହ ଲଢ଼େଇ କରୁଛନ୍ତି ଆଉ ୨ ଜଣ । ଏହି ଘଟଣାକୁ ନେଇ ଗଭୀର ମର୍ମାହତ ହୋଇଛନ୍ତି ନବୀନ ପଟ୍ଟନାୟକ । ଯାହାକୁ ନେଇ ରାଜ୍ୟର ବିଜେପି ସରକାରକୁ କରିଛନ୍ତି କଡ଼ା ସମାଲୋଚନା । ଗରିବ ଲୋକଙ୍କ ଚାଉଳ ବିନା କାରଣରେ ବନ୍ଦ କଲେ ସରକାର । ଯେଉଁଥିପାଇଁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡ଼ିଲା । ରାଜ୍ୟରେ ଯେପରି କେହି ଭୋକିଲା ନରୁହନ୍ତି, ସେଥିପାଇଁ ଅନାହାର ବିରୋଧରେ ସଂଗ୍ରାମ କରିଥିଲେ ନବୀନ । ହେଲେ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରି ଦେଲେ ବିଜେପି ସରକାର । ଖାଲି ସେତିକି ନୁହେଁ, ଦୁଇଟି ଜୀବନ ଗଲା ପରେ ବି ନିଜ ଦୋଷ ଘୋଡ଼ାଇବାକୁ ବିଜେପି ପ୍ରୟାସ ଚଳାଇଛି ବୋଲି କହିଛନ୍ତି ନବୀନ ।

ବିକାଶ ଓ ଜନକଲ୍ୟାଣ ନବୀନଙ୍କ ମୂଳ ଲକ୍ଷ୍ୟ । ଆଜି ବିରୋଧୀ ଦଳରେ ଥାଇ ବି ରାଜ୍ୟର ସ୍ବାର୍ଥ ପାଇଁ କାମ କରି ଚାଲିଛନ୍ତି । ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ବିକାଶ ଓ ଜନ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ବାଭିମାନ ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ତେଣୁ ବିଜେପି ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବାକୁ ସେ ଆହ୍ବାନ ଦେଇଛନ୍ତି । ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ କହି ବୋଲି ବିଜେପି ସରକାରକୁ ରୋକଠୋକ୍ ଶୁଣାଇଛନ୍ତି ବିରୋଧୀ ଦଳ ନେତା ।

ଦିନେ ଯେଉଁ ଓଡ଼ିଶାର ଦାରିଦ୍ର୍ୟ ହାର ଦେଶରେ ସର୍ବାଧିକ ଥିଲା, ତାହା ନବୀନ ସରକାର ସମୟରେ ବହୁ ତଳକୁ ଖସିଥିଲା । ଯାହା ଥିଲା ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରତିଫଳନ । ନବୀନ କରିଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିଲେ ୨୫ ଲକ୍ଷ ଗରିବ । ହେଲେ ଏବେ ରାଜ୍ୟରେ ଚାଉଳ ପାଇନାହାନ୍ତି ୪୦ ଲକ୍ଷ ପରିବାର । ଏଭଳି ସ୍ଥିତିରେ ଓଡ଼ିଶା ପୁଣି ଥରେ ଭୋକର ଭୂଗୋଳର କଳଙ୍କ ଆଡ଼କୁ ଠେଲି ହୋଇଯାଉଛି ।