ମୋହନ ସରକାରରେ ସାମାଜିକ ହିଂସାକୁ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବା ପରେ ଯେଉଁ ପରି ସାମାଜିକ ହିଂସା ଦେଖାଦେଇଛି, ତାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ତିନି ମାସରେ ୪ ଥର ଏପରି ହିଂସା ହେବା  ଓଡି଼ଶାର ଛବିକୁ ମଳିନ କରିଛି ବୋଲି କହିଛନ୍ତି ନବୀନ । କଂଗ୍ରେସ ମଧ୍ୟ ଏଥିପାଇଁ ବିଜେପି ସରକାରକୁ ଦାୟୀ କରିଛି ।

ବିଜେପି ସରକାର ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ହିଂସା ଦେଖିବାକୁ ମିଳିଛି । ଭଦ୍ରକରେ ତ ଦୁଇ ଦୁଇ ଥର ହେଲାଣି ଏପରି ଘଟଣା । ମାତ୍ର ୩ ମାସରେ ୪ ଥର  ଏପରି ସାମାଜିକ ଅଶାନ୍ତି, ଶାନ୍ତିପ୍ରିୟ ଓଡ଼ିଶାର ଛବିକୁ ମଳିନ କରିଛି ।  ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଶାନ୍ତି ସଦଭାବ ବଜାୟ ରଖିବାକୁ ସୋସିଆଲ ମିଡିଆରେ ସେ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ ଦେଖା ଦେଇଥିବା ଏହି ପରିବେଶ ପାଇଁ ସିଧା ବିଜେପି ସରକାରଙ୍କୁ ଦାୟୀ କରିଛି ବିଜେଡି । ସାଂସଦ ମୁନାଁ ଖାଁ କହିଛନ୍ତି, ଓଡ଼ିଶାରେ ଯାହା କେବେ ଘଟୁ ନଥିଲା ଏବେ ଘଟୁଛି । ଓଡ଼ିଶା ହେଉଛି ଭାଇଚାରାର ରାଜ୍ୟ । ସମସ୍ତେ ଶାନ୍ତି ବଜାୟ ରଖିବା ଆବଶ୍ୟକ । ଏହା ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦିଅନ୍ତୁ ।

ରାଜ୍ୟରେ ଅଶାନ୍ତିର ବାତାବରଣ ନେଇ ନବୀନ ପଟ୍ଟନାୟକ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି, ସେଥିରେ ଏକମତ ହୋଇଛନ୍ତି ଅନ୍ୟ ଦଳର ନେତା । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଏଥିପାଇଁ ବିଜେପି ସରକାରକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି, ଯଦି ୩ ମାସର ସରକାରରେ ୪ ଥର ଏପରି ଘଟଣା ହେଲାଣି, ତେବେ ବିଜେପି ସରକାର ୫ ବର୍ଷ ପୂରଣ କରିବା ବେଳକୁ ଅବସ୍ଥା କ’ଣ ହେବ । ଅଶାନ୍ତି ପାଇଁ ବିଜେପି ବାହାବା ନେବାକୁ ଚାହୁଁଛି ନା ତାକୁ ବନ୍ଦ କରିବାକୁ ଛାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ପ୍ରସଙ୍ଗରେ ସୁର ରାଉତରାୟ ବି ସରକାରକୁ ସମାଲୋଚନା କରିଛନ୍ତି ।