ଓଡ଼ିଶା ପ୍ରଗତିରେ ଏବେ ବି ନମ୍ବର ୱାନ ନବୀନ ମଡେଲ

1 min read

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ପ୍ରଗତିରେ ନବୀନ ମଡେଲ ଏବେ ବି ଚର୍ଚ୍ଚାରେ । ୨୦୧୭ରୁ ୨୦୨୨ର ମୁଣ୍ଡ ପିଛା ଆୟ ବୃଦ୍ଧିରେ ଏକାଧିକ ଡବଲ ଇଞ୍ଜିନ ସରକାରଙ୍କୁ ପଛରେ ପକାଇଥିଲା ଓଡ଼ିଶା । ସାରାଦେଶରେ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶା ରାଜ୍ୟର ନିଟ୍ ଘରୋଇ ଉତ୍ପାଦ ଅନୁପାତରେ ମୁଣ୍ଡ ପିଛା ଆୟ ବଢାଇଥିଲା ୨୨.୯୯ ପ୍ରତିଶତ ।  ଏହି କଥା ପ୍ରକାଶ କରିଛି ଦେଶର ଏକ ପ୍ରତିଷ୍ଠିତ ସର୍ଭେ ସଂସ୍ଥା ଇଣ୍ଡିଆନ୍ ଟେକ୍ ଆଣ୍ଡ ଇନ୍ଫ୍ରା ।  ବିଜେଡି ଶାସନରେ ନଥିଲେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଅମଳ କଥା ଏବେ ବି ଚର୍ଚ୍ଚାରେ । ପୂର୍ବ ସରକାର ସମୟରେ ଲୋକଙ୍କ ପାଇଁ ହୋଇଥିବା ଜନକଲ୍ୟାଣକାରୀ ଯୋଜନାର ନଜିର ଭାରତ ସରକାରଙ୍କ ନୀତି ଆୟୋଗ ଅନ୍ୟରାଜ୍ୟକୁ ଅନୁପାଳନ ନେଇ ସୁପାରିଶ କରିଥିଲେ । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ସହରାଞ୍ଚଳ ଗରିବଙ୍କୁ ରୋଜଗାର ଏବଂ  ମହିଳାଙ୍କ ଆର୍ଥିକ ବିକାଶ ନେଇ ନବୀନ କରିଥିଲେ ବହୁବିଧ ଯୋଜନା।

ସର୍ଭେ ଅନୁଯାୟୀ ତେଲଙ୍ଗାନା ମୁଣ୍ଡ ପିଛା ଆୟ ବୃଦ୍ଧିରେ ପ୍ରଥମ ସ୍ଥାନରେ ରହିଛି । ତାମିଲନାଡ଼ୁ ଦ୍ବିତୀୟ ଓ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି । ଓଡ଼ିଶାର ସ୍ଥାନ ରହିଛି ଚାରି ନମ୍ବରରେ । ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ରାଜ୍ୟ ବି ନିଟ୍ ମୁଣ୍ଡ ପିଛା ଆୟ ବୃଦ୍ଧିରେ ଓଡ଼ିଶା ସମକକ୍ଷ ହୋଇପାରିନଥିଲେ । ଗରିବଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମୁକ୍ତା ଯୋଜନା, ନିର୍ମାଣ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଆର୍ଥିକ ଅନଗ୍ରସରଙ୍କ ଆୟ ବୃଦ୍ଧିରେ ବଡ଼ ଭୂମିକା ରହିଥିବା ନବୀନ ମଡେଲ୍ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ରାଜ୍ୟର ପ୍ରଗତିରେ ପୂର୍ବ ସରକାରଙ୍କ ଅବଦାନକୁ ଏବେ ବି ଲୋକ ମନେପକାଉଛନ୍ତି । ମହାମାରୀ ହେଉ କି ବାତ୍ୟା ଭଳି ଦୁର୍ବିପାକ- ନବୀନଙ୍କ ଜିରୋ କାଜୁଆଲଟି ମନ୍ତ୍ର ଆଜି ବି ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦାହରଣ ଦିଆଯାଉଛି ।