ସହରବାସୀଙ୍କୁ ସଶକ୍ତିକରଣ କରିବାରେ ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ବର : ଲୋକେ କହିବେ ପ୍ରଶାସନ କାର୍ଯ୍ୟ କରିବ । ସମ୍ମାନର ସହିତ ବଞ୍ଚିବେ ସଫେଇ କର୍ମଚାରୀ । ରାଜ୍ୟର ଶ୍ରମିକ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ନଯାଇ ନିଜ ଅଞ୍ଚଳରେ କାମଧନ୍ଦା ପାଇବେ ।  ଖାଲି ସେତିକି ନୁହେଁ, ଜାଗା ମିଶନ ଜରିଆରେ ସହରାଞ୍ଚଳ ଭୂମିହୀନଙ୍କୁ ଜାଗା ବଣ୍ଟନ । ଏ ଥିଲା ପୂର୍ବ ନବୀନ ସରକାରଙ୍କ କାର୍ଯ୍ୟ । ଯେଉଁଥିପାଇଁ ଭାରତ ସରକାର ସିଟିଜେନ ଏମ୍ପାଓ୍ବାରମେଣ୍ଟ୍ ବର୍ଗରେ ଓଡ଼ିଶାକୁ ନମ୍ବର ଓ୍ବାନ୍ ମାନ୍ୟତା ଦେବା ସହ ସାମଗ୍ରିକ ପୌର ପ୍ରଶାସନରେ ୨ ନମ୍ବର ମାନ୍ୟତା ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କଣ ପାଇଁ? କୋଭିଡ କାମଧନ୍ଦା ନ ପାଇ ବେଶି ହଇରାଣ ହେଲେ ପ୍ରବାସୀ ଶ୍ରମିକ । ଦେଶରେ ପ୍ରଥମ କରି ପୂର୍ବ ବିଜେଡି ସରକାର ଆରମ୍ଭ କଲେ ସହରାଞ୍ଚଳ ଶ୍ରମ ନିଯୁକ୍ତି ଯୋଜନା । ଗ୍ରାମାଞ୍ଚଳ ପରି ମନରେଗା ପାଣ୍ଠି ନାହିଁ ଯେ ସହରାଞ୍ଚଳରେ ଶ୍ରମିକଙ୍କୁ ୧୦୦ ଦିନର କାମଧନ୍ଦା ଦେଇ ହେବ । ୨୦୨୦ରେ ଆରମ୍ଭ ହୋଇଥିବା ୟୁଜିଆଇ ମୁକ୍ତା ରୂପ ନେଲା । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଜରିଆରେ ପ୍ରଥମ ୩ ମାସରେ ଶ୍ରମିକଙ୍କୁ କାମଧନ୍ଦା ବାବଦରେ ଖର୍ଚ୍ଚ ହେଲା ୧୦୦ କୋଟି । ଉନ୍ନତି ଯୋଜନା ଦ୍ବାରା ସହରାଞ୍ଚଳ ବାସିନ୍ଦାଙ୍କଠୁ ମିଳିଥିବା ଫିଡବ୍ୟାକ ଓ ଓ୍ବାର୍ଡ଼ କମିଟି ସୁପାରିସରେ ପାର୍କ, ଶ୍ମଶାନ ପ୍ରତିଷ୍ଠା ହେଲା । ସ୍ବଚ୍ଛ ଭାରତ ଅଭିଯାନ ଯୋଜନାର ସ୍ବଚ୍ଛ ସାଥୀ ନିୟୋଜିତ ହେବା ସହ ଘରୁ ଆବର୍ଜନା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ସହରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ନେଇ ଡ୍ରିଙ୍କ ଫ୍ରମ ଟ୍ୟାପ୍ କାର୍ଯ୍ୟକ୍ରମ ଦେଶକୁ ଚମକାଇ ଦେଇଥିଲା । ସହରୀବାସିନ୍ଦାଙ୍କ ଅଭିଯୋଗ ପ୍ରତିବିଧାନ ପାଇଁ ଆରମ୍ଭ ହୋଇଥିଲା ସୁଯୋଗ ପୋର୍ଟାଲ । ଗରିମା କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧ ହଜାର ସଫେଇ କର୍ମଚାରୀଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥିଲେ ପୂର୍ବ ନବୀନ ସରକାର । ମଇଳା ସଫା କରୁଥିବା କର୍ମଚାରୀଙ୍କ ପାଇଁ ବୀମା ସୁବିଧା । ମୃତ୍ୟୁକାଳୀନ ସହାୟତା ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ମାସ ୨୦ ତାରିଖରେ ସ୍ବଚ୍ଛ ଚର୍ଚ୍ଚା ଦିବସ ଅନୁଷ୍ଠିତ କରାଇ ୧୫ ହଜାର ସଫେଇ କର୍ମଚାରୀଙ୍କୁ ଜିଲ୍ଲାପାଳ, ପୌର ପ୍ରଶାସନର ଅଧିକାରୀ ଖାଦ୍ୟ ପରଷିବା ପାଇଁ ବ୍ୟବସ୍ଥା ହୋଇଛି । ଯାହାକି ଦେଶରେ ଅନନ୍ୟ ।…

ସହରାଞ୍ଚଳ ବର୍ଜ୍ୟ ପରିଚାଳନା ସବୁଠୁ ବଡ଼ ଚାଲେଞ୍ଜ୍ । ଓ୍ବେଷ୍ଟ୍ ଟୁ ଓ୍ବେଲ୍ଥ ଥିଲା ନବୀନ ସରକାରଙ୍କ ମୂଳ ଆଭିମୁଖ୍ୟ । ଯାହାର ସୁଫଳ ଏବର ସରକାରଙ୍କୁ ମିଳୁଛ । କଠିନ ବର୍ଜ୍ୟବସ୍ତୁ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସବୁ ସହରରେ ପ୍ରତିଷ୍ଠା ହୋଇଛି ବୈଭବ କେନ୍ଦ୍ର । ସହରର ସମ୍ବେଦନଶୀଳ ଅଞ୍ଚଳରେ ଜମା ହେଉଥିବା ବର୍ଜ୍ୟବସ୍ତୁକୁ ହଟାଇ ସେଠାରେ ପାର୍କ କିମ୍ବା ଆଇ ଲଭ୍ ଭୁବନେଶ୍ବର ପରି ସୁନ୍ଦର ପରିବେଶ ସୃଷ୍ଟି କରାଯାଇପାରିଛି । ମୁକ୍ତା ଯୋଜନାରେ ତୃତୀୟ ଲିଙ୍ଗିଙ୍କୁ ନିଯୁକ୍ତି ଦିଆଯିବା ସହ ବର୍ଜ୍ୟ ଓ ପାର୍କ ପରିଚାଳନା ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ବାର୍ଷିକ ବଜେଟ୍ ୧୦ ହଜାର କୋଟିରୁ କମ୍ ନଥିଲା । ଭାରତ ସରକାରଙ୍କ ହର ଘର୍ ଜଳ ଯୋଜନାରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା । ସବୁଠୁ ବଡ଼ ଗରୁତ୍ବପୂର୍ଣ୍ଣ ହେଉଛି ପୂର୍ବ ନବୀନ ସରକାରଙ୍କ ମୂଳ ମନ୍ତ୍ର ଥିଲା – ଲୋକେ ପ୍ରଶାସନକୁ ପାଖକୁ ଅଭିଯୋଗ ନେଇ ଆସିବେନି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିବେ।

ନବୀନଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଆଜି ସୁଫଳ ଦେଉଛି । ଡବଲ୍ ଇଞ୍ଜିନ ନୁହଁ । ପ୍ରତ୍ୟେକ ଲୋକଙ୍କ ହାତକୁ କାମ ଓ ମୁଣ୍ଡ ଉପରେ ଛାତ ରହିବ ତାହା ହିଁ ଆଜି ଓଡ଼ିଶାକୁ ସବୁ କ୍ଷେତ୍ରରେ ସଫଳତା ଆଣିପାରିଛି । ନବୀନଙ୍କ ୨୪ ବର୍ଷର ଶାସନକୁ ଓଡ଼ିଶା ଇତିହାସର ଗୋଲ୍ଡେନ୍ ଏରା ବୋଲି ବିଶେଷଜ୍ଞ କହିବାକୁ ପଛାଉନାହାନ୍ତି ।