ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ, ୬ ହଜାର ୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରି

1 min read

ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଯାହା କେବେ ହୋଇନଥିଲା, ତାହା ଏବେ ହେଲା । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । ଆଜି କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।

5T ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଟେକ୍ନୋଲୋଜିରେ ପାଠପଢ଼ା ବ୍ୟବସ୍ଥା କରାଯାଉଛି । ଏହା ସହ ଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ରାଜ୍ୟର ରୂପାନ୍ତରିତ ଉନ୍ନତ ଭିତ୍ତିଭୂମି ସହ ଉନ୍ନତ ମାନର ଶିକ୍ଷାଦାନ ପାଇଁ ନୂଆ ଶିକ୍ଷକ ନିଯୁକ୍ତି କରାଯାଉଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଶରେ ସର୍ବୋତ୍କୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାମ କରୁଛି ବିଭାଗ । ଏହି ପ୍ରୟାସକୁ ଶିକ୍ଷାବିତ୍ ମାନେ  ସ୍ୱାଗତ କରିଛନ୍ତି ।

ରାଜ୍ୟର ଶିକ୍ଷା ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ  ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି। ସାରା ରାଜ୍ୟର ସବୁ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ତଥା ପ୍ରଥମ ପର୍ଯ୍ୟାୟର ୫-ଟି ହାଇସ୍କୁଲ ଟ୍ରାନ୍‌ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତର ପରେ ପରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପରେ ରାଜ୍ୟ ସରକାର ଆଜି ଏକାଥରକେ ୬୨୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ ।

କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ orientation କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା ହେଉଛି ସମାଜର ସାମୁହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ । ଶିକ୍ଷା ବ୍ୟବସ୍ଥାର ଆତ୍ମା ଭାବରେ ଶିକ୍ଷକ ମାନଙ୍କୁ ଅଭିହିତ କରି ଆମର ଭବିଷ୍ୟତ ପୀଢି ତଥା ନୂଆ ଓଡିଶା ଗଠନ ପାଇଁ ଆରମ୍ଭ ହୋଇଥିବା ଏହି ରୂପାନ୍ତରରେ ଶିକ୍ଷକ ମାନେ ସଫଳ ସହଯୋଗୀ ଭାବରେ ତାଙ୍କର ଦାୟିତ୍ବ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏ.ପି.ଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜରେ ଶିକ୍ଷକ ମାନଙ୍କର ଭୂମିକା ଯେପରି ଗୁରୁତ୍ବପୂର୍ଣ୍ଣ, ପୃଥିବୀରେ ଅନ୍ୟ କୌଣସି ବୃତ୍ତି ସେଭଳି ଗୁରୁତ୍ବ ବହନ କରେ ନାହିଁ । ତେଣୁ ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ହାଇସ୍କୁଲ ଟ୍ରାନ୍‌ସଫରେମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୧୦୭୫ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବେଳେ, ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗକୁ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ଭାବେ ବର୍ଣ୍ଣନା କରି ଏଥିପାଇଁ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ ।

ନୂତନ ଶିକ୍ଷା ପରିବେଶରେ ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନକୁ ସାକାର ରୂପ ଦେବାପାଇଁ ସବୁପ୍ରକାର ସୁଯୋଗ ଦିଆଯାଇଛି ବୋଲି ମତଦେଇ ଶିକ୍ଷାଦାନ ପ୍ରତି ଶିକ୍ଷକ ମାନଙ୍କର ପ୍ରତିବଦ୍ଧତା, ପିଲାମାନଙ୍କୁ ପ୍ରେରଣା ହିଁ ସେମାନଙ୍କୁ ସଫଳତାର ଶିଡି ଚଢିବାରେ ସକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମନ୍ତ୍ରୀ ଶ୍ରୀ ସମୀର ଦାଶ ପ୍ରମୁଖ ଯୋଗ ଦେଇ ଶିକ୍ଷା ବ୍ଯବସ୍ଥା ରେ ରୂପାନ୍ତର ହି ନୂଆ ଓଡ଼ିଶାର ସ୍ବପ୍ନ ସାକାର କରିବ ଵୋଲି ମତ ଦେଇ ଥିଲେ ।

Leave a Reply