ଓଡ଼ିଶାରେ ଲଜିଷ୍ଟିକ ଭିତ୍ତିଭୂମି ସୁଦୃଢ କରିବାରେ ନବୀନ ସରକାରଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ

1 min read

ଭୁବନେଶ୍ବର: ଓଡ଼ିଶାରେ ଲଜିଷ୍ଟିକ ଭିତ୍ତିଭୂମି ସୁଦୃଢ କରିବାରେ ନବୀନ ସରକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ରାଜ୍ୟରୁ ରପ୍ତାନୀ ପରିମାଣ ପ୍ରାୟ ୧ ଲକ୍ଷ କୋଟିରେ ପହଞ୍ଚିଛି । ଝାରସୁଗୁଡ଼ା ଓ କଳିଙ୍ଗନଗର ଲଜିଷ୍ଟିକ ହବ୍ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୪ଟି ହବ୍ ପ୍ରସ୍ତୁତ ହେଉଛି । ରାଜ୍ୟ ସରକାର ୨୦୨୨ରେ ଆଣିଥିବା ସଫଳ ଲଜିଷ୍ଟିକ ନୀତି ଯୋଗୁଁ ରପ୍ତାନୀ ବୃଦ୍ଧି ପାଇଛି । ପୂର୍ବ ସରକାରଙ୍କ ଦୁରଦୃଷ୍ଟି ଯୋଗୁଁ ଲଜିଷ୍ଟିକ ଭିତ୍ତିଭୂମି ରାଜ୍ୟରେ ହୋଇଥିବାରୁ ଏହି କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ବୋଲି ଧାମରା ପୋର୍ଟ ମୁଖ୍ୟ କହିଛନ୍ତି । ସିଆଇଆଇ ପକ୍ଷରୁ ପୂର୍ବ ଭାରତରେ ଲଜିଷ୍ଟିକ ଅଭିବୃଦ୍ଧି ନେଇ ଏଭଳି ମତ ରଖିଛନ୍ତି ବିଶେଷଜ୍ଞ ।

ବିନିର୍ମାଣ କ୍ଷେତ୍ରରେ ଭିତ୍ତିଭୂମି ସୃଷ୍ଟି କରିବାରେ ନବୀନ ପଟ୍ଟନାୟକ ସରକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ରୋଡ଼, ରେଲ, ପୋର୍ଟ ଓ ଏୟାର କନେକ୍ଟିଭିଟି କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଇଛି । ରାଜ୍ୟରୁ ରପ୍ତାନୀ ପରିମାଣ ବଢିବାରେ ଲାଗିଛି । ବର୍ଷକୁ ପ୍ରାୟ ଲକ୍ଷେ କୋଟି ଟଙ୍କାର ରପ୍ତାନୀ ହେଉଥିବା ବେଳେ ୧୨ ଶହ ୭୭ କୋଟି ଟଙ୍କାର ବିଦେଶୀ ପାଣ୍ଠି ଆସିଛି । ଏଥିପାଇଁ ପୂର୍ବ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଧାମରା ପୋର୍ଟ ସିଇଓ ଦେବେନ୍ଦ୍ର ଠକ୍କର । ସିଆଇଆଇ ପକ୍ଷରୁ ଆୟୋଜିତ ଲଜିଷ୍ଟିକ ବୈଠକରେ ଯୋଗଦେଇ ବିଭିନ୍ନ ଶିଳ୍ପପତି ଓ ବରିଷ୍ଠ ଅଧିକାରୀ ଓଡ଼ିଶାରେ ଅପାର ସମ୍ଭାବନା ବାବଦରେ ଉଲ୍ଲେଖ କରିଛନ୍ତି । ଲୁହାପଥର, କୋଇଲା, ଆଲୁମିନିୟମ, କ୍ରୋମାଇଟ ଭଳି ଖଣିଜ ପଦାର୍ଥ ସହ ଓଡ଼ିଶାର ସି’ ଫୁଡ଼ ଚାହିଦା ବିଦେଶରେ ଅଧିକ ଥିବାର ଲଜିଷ୍ଟିକ କ୍ଷେତ୍ରରେ ଓଡ଼ିଶା ଅନେକ ଆଗକୁ ଯିବ । ସାରା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ଥିବା ବେଳେ ଓଡ଼ିଶାରେ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଟାର୍ଗେଟ ରହିଛି ।

ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ବେଳେ ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ଭାବେ କାର୍ଗୋ ୟୁନିଟ ଖୋଲିଛି । ରେଳ ନେଟଓ୍ବର୍କ ଧିରେ ଧିରେ ବିସ୍ତାରିତ ହେଉଛି । ତା’ ସାଙ୍ଗକୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଉନ୍ନତ ଭିତ୍ତିଭୂମି ମଧ୍ୟ ଲଜିଷ୍ଟିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପାରାଦୀପ, ଝାରୁସୁଗୁଡ଼ା, କଳିଙ୍ଗନଗର, ଅନୁଗୁଳ, ରାଉରକେଲା ଓ ଧାମରାରେ ମଲ୍ଟି-ମୋଡ଼ାଲ ଲଜିଷ୍ଟିକ ହବ୍ ପାଇଁ କାମ ଚାଲିଥିବାରୁ ଆଗକୁ ଓଡ଼ିଶାରେ ଲଜିଷ୍ଟିକ ନେଟଓ୍ବର୍କ ଅଧିକ ସୁଦୃଢ ହେବା ଆଶା କରାଯାଉଛି ବୋଲି କଣ୍ଟେନର ନିଗମ ଅଧିକାରୀ କହିଛନ୍ତି ।

ଲଜିଷ୍ଟିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ନୀତି, ସ୍କିଲଡ୍ ମାନବ ସମ୍ବଳ, ପୁଞ୍ଜି ବିନିଯୋଗ ଜରୁରୀ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଲେ ପୂର୍ବ ଭାରତରେ ଲଜିଷ୍ଟିକ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ନେବ ।