ଦେଶରେ ଚିହ୍ନଟ ହେଲା ମାରାତ୍ମକ ବ୍ରାଜିଲ ଭ୍ୟାରିଆଣ୍ଟ: ବ୍ରାଜିଲ ଓ ବ୍ରିଟେନ୍ ଫେରନ୍ତାଙ୍କ ଠାରୁ ଚିହ୍ନଟ

1 min read

ଦେଶରେ କରୋନା ସ୍ଥିତିରେ କିଛିଟା ସୁଧାର ଆସିଥିବା ବେଳେ ଚିନ୍ତାଜନକ ରିପୋର୍ଟ ଦେଇଛି ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ବା NIV । ବ୍ରିଟେନ ଓ ବ୍ରାଜିଲ ଫେରନ୍ତାଙ୍କଠାରୁ ଠାବ କରାଯାଇଛି କରୋନାର ନୂଆ ତଥା ମାରାତ୍ମକ ଭ୍ୟାରିଆଣ୍ଟ B.1.11.28.2 । ଜିନୋମ ସିକ୍ବେନ୍ସିଂ ଯୋଗେ ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ କରିଛନ୍ତି NIV ବିଶେଷଜ୍ଞ । ବ୍ରିଟେନ ଓ ବ୍ରାଜିଲ ଫେରନ୍ତାଙ୍କ ସାମ୍ପୁଲରୁ ଏହି ମାରାତ୍ମକ ଭ୍ୟାରିଆଣ୍ଟ ଚିହ୍ନଟ କରାଯାଇଛି । ଏହା ଭାରତରେ କରୋନା ସ୍ଥିତି ସଙ୍ଗୀନ କରିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଏହି ନୂତନ ଭ୍ୟାରିଆଣ୍ଟ ଶରୀରରେ ଭୟଙ୍କର ଲକ୍ଷଣ ସୃଷ୍ଟି କରିବାର ଆଶଙ୍କା ରହିଛି | ତେବେ ଏହି ନୂଆ ଭ୍ୟାରିଆଣ୍ଟ ଯୋଗୁ ଭୟଙ୍କର ସ୍ଥିତି ଉପୁଜିବା ପୂର୍ବରୁ ଟେଷ୍ଟିଂ ଓ ଟିକାକରଣକୁ ତ୍ବାରାନ୍ବିତ କରିବା ଆବଶ୍ୟକ ବୋଲି ସୂଚାଇ ଦେଇଛନ୍ତି ବିଶେଷଜ୍ଞ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ ପକ୍ଷରୁ କରାଯାଇଥିବା ଏହି ଷ୍ଟଡି ସମ୍ପର୍କିତ ତଥ୍ୟ ବାୟୋରେକ୍ସିଭର ଅନ୍ଲାଇନରେ ପ୍ରକାଶିତ ହୋଇଛି । ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ଶରୀରର ଓଜନ ହ୍ରାସ ପାଇବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ ପ୍ରବଳ କଷ୍ଟ ଅନୁଭବ ହୋଇଥାଏ । ଫୁସ୍ଫୁସ୍ ଉପରେ ମଧ୍ୟ ଏହା ଅତିମାତ୍ରାରେ ପ୍ରଭାବ ପକାଇଥାଏ ବୋଲି ଷ୍ଟଡିରୁ ଜଣାପଡ଼ିଛି । ହେଲେ ଏହି ନୂଆ ଭାରିଆଣ୍ଟକୁ ମାତ୍ ଦେବାକୁ କୋଭାକ୍ସିନର ଦୁଇଟି ଡୋଜ୍ ଅତିମାତ୍ରାରେ ପ୍ରଭାବଶାଳୀ । କୋଭାକ୍ସିନର ରେଜିମେନ ଆଣ୍ଟିବଡ଼ି ଏହି ମାରାତ୍ମକ ଭ୍ୟାରିଆଣ୍ଟ ବିରୋଧରେ ଲଢ଼ିପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୫ହଜାର ୮୯୬ କରୋନା ସଂକ୍ରମିତ ଚିହ୍ନଟ

Leave a Reply