ISSରେ ପହଞ୍ଚିଲା ସ୍ପେସଏକ୍ସ ଡ୍ରାଗନ; ଆସନ୍ତା ୧୯ରେ ଫେରିପାରନ୍ତି ସୁନୀତା ଓ ୱିଲମୋର
1 min read
ନନ୍ଦିଘୋଷ ବ୍ୟୁରୋ : ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଲା କ୍ରିଉ-୧୦ ମିଶନର ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟ। ଏହା ସହ ସେଠାରେ ପହଞ୍ଚିଛନ୍ତି ଅନ୍ୟ ୪ ଜଣ ମହାକାଶଚାରୀ। ସେମାନେ ହେଲେ ଆନ୍ନେ ମ୍ୟାକଲେନ, ନିକୋଲ ଆୟର୍ସ, ତାକୁୟା ଓନିଶି ଓ କିରିଲ ପେସକୋଭ। ଏହି ୪ ଜଣଙ୍କ ଉପସ୍ଥାନ ସହ ମହାକାଶରେ ଥିବା ମୋଟ ମହାକାଶଚାରୀଙ୍କ ସଂଖ୍ୟା ହୋଇଛି ୧୧। ପୂର୍ବରୁ ସୁନୀତା ଓ ୱିଲମୋରଙ୍କ ସମେତ ଆଉ ୫ ଜଣ ମହାକାଶଚାରୀ ସେଠାରେ ଥିଲେ। ସେମାନେ ହେଲେ ନିକ ହଗ୍, ଡନ ପେଟିଟ, ଆଲେକଜାଣ୍ଡର ଗୋର୍ବୁନୋଭ, ଆଲେକ୍ସି ଓଭଚିନିନ ଓ ଇଭାନ ଭାଗନର। ସେପଟେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବଚ୍ ଓ୍ବିଲମୋର ନାନା ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ।
ପୃଥିବୀକୁ ଫେରିବା ଲାଗି ଦିନ ପାଖେଇ ଆସୁଥିବାବେଳେ ତାଙ୍କ ଶାରୀରିକ ଅବସ୍ଥା ଚିନ୍ତାର କାରଣ ପାଲଟିଛି । ସେମାନଙ୍କ ପାଦ ଜଣେ ଶିଶୁର ପାଦ ଅର୍ଥାତ ବେବି ଫୁଟ୍ ପରି ଅତି ନରମ ହୋଇଯାଇଛି । ପାଦ ଏତେ ନରମ ହୋଇଯାଇଛି ଯେ ସେମାନେ ଚାଲିବାକୁ ଅକ୍ଷମ ହୋଇଯାଇଛିନ୍ତି । ନାସାର କ୍ରିଉ-୧୦ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସକୁ ପଠାଯାଇଥିବା ଡ୍ରାଗନ ସ୍ପେସକ୍ରାଫ୍ଟରେ ସେମାନେ ଆସନ୍ତା ୧୯ରେ ଫେରିବେ ।
ଗତବର୍ଷ ଜୁନ ୫ରେ ସେମାନେ ବୋଇଂ ଷ୍ଟାରଲାଇନରେ ଆଇଏସଏସକୁ ଯାଇ ସେଠାରେ ଫସିଯାଇଥିଲେ । ସେମାନେ ପୃଥିବୀକୁ ଫେରିଲେ ବେଶ୍ କିଛି ମାସ ଚିକିତ୍ସିତ ହେବା ପରେ ସେମାନଙ୍କ ସ୍ବାଭାବିକ ଅବସ୍ଥା ଫେରିବ । ସେପଟେ ଦୁଇ ମହାକାଶଚାରୀଙ୍କ ଅସ୍ଥି ସାନ୍ଧ୍ରତା ବା ବୋନ୍ ଡେନସିଟି ବି ହ୍ରାସ ପାଇଛି । ସେମାନଙ୍କ ମାଂସପେଶୀ ଦୁର୍ବଳ ହୋଇଯିବା ସହ ରକ୍ତ ପରିମାଣ ହ୍ରାସ ପାଇଛି । ସେମାନଙ୍କ ହାର୍ଟ ସଠିକ୍ ଭାବେ ରକ୍ତକୁ ପ୍ରବାହିତ କରିବାରେ ବିଫଳ ହୋଇଛି । ଶରୀରର ତରଳ ପଦାର୍ଥ ସଠିକ୍ ଭାବେ ପରିଚାଳିତ ହେବା ସମ୍ଭବ ହୋଇପାରୁନାହିଁ । ସେପଟେ ସବୁଠାରୁ ବଡ ବିପଦ ହେଲା ତେଜଷ୍କ୍ରିୟତାର ସମ୍ମୁଖୀନ । ପୃଥିବୀରେ ଉଚ୍ଚ ତେଜଷ୍କ୍ରିୟ ବିପଦରୁ ଜଳବାୟୁ ଓ ଚୁମ୍ବକୀୟ କ୍ଷେତ୍ର ମଣିଷକୁ ରକ୍ଷା କରୁଥିବାବେଳେ ମହାକାଶରେ ତାହା ସମ୍ଭବ ହୋଇପାରୁନାହିଁ । ଫଳରେ ଦୁଇ ମହାକାଶଚାରୀ ଏହି ବିପଦରେ ପଡିଛନ୍ତି ।