ନନ୍ଦିଘୋଷ ଟିଭିର ପ୍ରଭାବ, ଖବର ପ୍ରସାରଣ ପରେ ଦୁଇ ଡାକ୍ତରଙ୍କୁ ନିଯୁକ୍ତି

ବାଣପୁର: ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ପ୍ରସାରଣ ପରେ ବାଣପୁର ଡାକ୍ତରଖାନାରେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଆଶୁତୋଷ ବିଶୋଇ ଓ ଡାକ୍ତର ପ୍ରୀତିଶ ଧଳଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି କରାଯାଇଛି । ସେପଟେ ବାଣପୁର ସ୍ୱାସ୍ଥ୍ୟ ସେବା ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ବାଣପୁର ମେଡ଼ିକାଲରେ ଲାଗି ରହିଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ସମସ୍ୟା ଶୀଘ୍ର ଦୂର ହେବ । ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଲାଗିରହିଛି । ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ନୂଆ ଡାକ୍ତର ବାହାରିବେ । ଆଉ ଏଭଳି ସମସ୍ୟା ରହିବନି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି  ।

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଡେପୁଟେସନରେ ଯିବା ଯୋଗୁଁ ବାଣପୁରରେ ବିପର୍ଯ୍ୟସ୍ତ ହୋଇଛି ରୋଗୀସେବା । ଅଧା ବିଭାଗରେ ଡାକ୍ତର ଓ ନର୍ସ ନାହାନ୍ତି । ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୭ଟି ପଞ୍ଚାୟତ ଗୋଟିଏ ଏନଏସିର ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି । ହେଲେ ଷ୍ଟାଫ୍ ଅଭାବରୁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ରୋଗୀ । ଡାକ୍ତର ଦେଖାଇବାକୁ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେଉଛନ୍ତି ରୋଗୀ । କେବଳ ବାଣପୁର ମେଡିକାଲ ନୁହେଁ ବ୍ଲକର ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ସମାନ ଅବସ୍ଥା । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।