ନବରଙ୍ଗପୁର କୋଡ଼ିଙ୍ଗା ଅଞ୍ଚଳରେ ବାଘ ! ଭିଡିଓ ଭାଇରାଲ ..

ନବରଙ୍ଗପୁର : ବାଘର ଭିଡିଓ ଭାଇରାଲ। ତତ୍ପର ବନ ବିଭାଗ। ଜଙ୍ଗଲ ମଧ୍ୟରେ ଗର୍ଜନ କରି ବାଘ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅନ୍ତର୍ଗତ ଏକରି ଗାଁ ନିକଟ କନ୍ଧଗୁଡା ଛକ ଅଞ୍ଚଳର ବୋଲି ଜଣାପଡିଛି। ଜଙ୍ଗଲ ଭିତରେ ବାଘ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ତତ୍ପର ହୋଇଉଠିଛି ବନ ବିଭାଗ।ଘଟଣାକୁ ହାଲୁକା ଭାବେ ଗ୍ରହଣ ନକରି ଗମ୍ଭୀରତର ସହ ନେଇ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ବନ ବିଭାଗ। କୋଡ଼ିଙ୍ଗା ରେଞ୍ଜେର ଓ ଥାନାଅଧିକାରୀ ତନାଘନା ଆରମ୍ଭ କରିଛନ୍ତି।

ଜଙ୍ଗଲରେ ପ୍ରକୃତରେ ବାଘ ଅଛିକି ନାହିଁ ବୁଝିବା ସହିତ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଜଙ୍ଗଲ ମଧ୍ୟରେ ପ୍ରାୟ ୨୦ କିଲୋମିଟରରୁ ଅଧିକ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରିଥିବା ସୂଚନା ମିଳିଛି। କିନ୍ତୁ ସର୍ଚ୍ଚ ଅପରେସନ ସମୟରେ ବାଘର ଅବସ୍ଥିତି ସହ ଜଙ୍ଗଲର କୌଣସି ବି ସ୍ଥାନରେ ବାଘର ପାଦ ଚିହ୍ନ ମିଳି ନଥିବା ସୂଚନା ଦେଇଛି ବନ ବିଭାଗ। ସେପଟେ ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରାଯାଉଥିବା ବେଳେ ଲୋକଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରାଯାଉଛି।