ବୌଦ୍ଧରେ ରହସ୍ୟମୟ ସୁଡ଼ଙ୍ଗ ଠାବ, ଶହେ ବର୍ଷ ପୁରୁଣା ଅନୁମାନ

ବୌଦ୍ଧ: ବୌଦ୍ଧରେ ରହସ୍ୟମୟ ସୁଡଙ୍ଗ ଠାବ । ଜଙ୍ଗଲ ଭିତରେ ସୁଡଙ୍ଗକୁ ଠାବ କଲେ ସ୍ଥାନୀୟ ବାସିନ୍ଦା । ବୌଦ୍ଧ ଶୀତଳପାଣି ସାତକୋଶିଆ ଅଭୟାରଣ୍ୟ ଭିତରେ ଠାବ ହୋଇଛି ଏହି ସୁଡଙ୍ଗ । ସୁଡଙ୍ଗଟି ୧୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି ।

କାହିଁ କେଉଁ କଳାରୁ ପାହାଡ଼ର ଘଞ୍ଚ ଜଙ୍ଗଲ ଭିତରେ ଲୋକଲୋଚନରୁ ଲୁଚି ରହିଥିଲା ଏହି ରହସ୍ୟମୟ ସୁଡଙ୍ଗ । ସୁଡଙ୍ଗଟି କେଉଁଠି ସରିଛି କେହି ଜାଣି ନଥିବା ବେଳେ ସୁଡଙ୍ଗକୁ ନେଇ କୁହାଯାଉଛି ଅନେକ ଲୋକକଥା । ରାଣୀ ପଦ୍ମାବତୀ ଐତିହାସିକ ଜଗନ୍ନାଥ ସଡକ ଦେଇ ପୁରୀରୁ ଆସି ଏହି ସୁଡଙ୍ଗ ଦେଇ ପଦ୍ମତୋଳା ଜଙ୍ଗଲରେ କିଛି ଦିନ ରହିଥିଲେ ବୋଲି ସ୍ଥାନୀୟ ଲୋକଭ୍କ ମଧ୍ୟରେ ଲୋକକଥା ରହିଛି ।

ସେହିପରି ଜବାହରଲାଲ ନେହେରୁ ୧୯୬୪ ମସିହା ଜାନୁଆରୀ ୫ରେ ମଣିଭଦ୍ରା ଡ୍ୟାମ ପାଇଁ ସୁନଖଣିଆ ଓ ଶୀତଳପାଣି ମଧ୍ୟଭାଗର ଠିକ ଅପରପାର୍ଶ୍ୱ ଅନୁଗୁଳ ଜିଲ୍ଲାର ଟିକରପଡା ପାଖରେ ଶୁଭ ଦେଇଥିଲେ । ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଏପଟେ ସୁଡଙ୍ଗ ଖୋଲା ଯାଇଥିବା ଲୋକେ କୁହନ୍ତି ।

ଅନ୍ୟପଟେ ସୁଡଙ୍ଗର ସୁରକ୍ଷା ପାଇଁ ବନ ବିଭାଗ ସହ ଆଲୋଚନା କରାଯିବା ସହ ଏହା କିଭଳି ଲୋକଲୋଚନକୁ ଆସିବ, ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ସେ ଦିଗରେ ପ୍ରୟାସ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

ସୁଡଙ୍ଗର ଅଧିକ ଗବେଷଣା କରିବା ଜରୁରୀ । ଏହି ଐତିହାସିକ ଗୁମ୍ଫାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।