ସରିଲା ପୌର ନିର୍ବାଚନ ପାଇଁ ନାମାଙ୍କନ, ଆଜିଠୁ ଜମିବ ପ୍ରଚାର

ଭୁବନେଶ୍ୱର: ସରିଲା ପୌର ନିର୍ବାଚନ ପାଇଁ ନାମାଙ୍କନ । ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ । ୧୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ପ୍ରାର୍ଥିପତ୍ର ଦାଖଲ ପରେ ଏବେ ମଇଦାନରେ ଆରମ୍ଭ ହେଲାଣି ପାଗଭିଡ଼ା । ଗତକାଲି ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ ଆଜିଠୁ ଜମିବ ପୌର ପ୍ରଚାର । ପୌରାଞ୍ଚଳ ଦଖଲ କରିବାକୁ ସବୁ ଦଳର ରଣନୀତି । ସହରରେ ହେବ ସମରସଜ୍ଜା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆନୂଆ ରଣନୀତି କରିବେ ରାଜନୈତିକ ଦଳ ।
ଚଳିତ ଥର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ୧୮୯୯ ଓ୍ବାର୍ଡର ୪ ହଜାର ୪୭୫ ବୁଥରେ ଆସନ୍ତା ୨୪ ତାରିଖରେ ହେବ ନିର୍ବାଚନ । ପୌର ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ ଥିବା ବେଳେ ପ୍ରଚାର ମଇଦାନରେ ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସପକ୍ଷରେ ମାଗିବେ ଭୋଟ୍ । ଏଥର ମେୟର ଓ ଅଧ୍ୟକ୍ଷ ପଦ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ଏଣୁ ଏହା ଉପରେ ସମସ୍ତଙ୍କର ନଜର ରହିଛି ।