IPL ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

Mumbai Terror Alert On IPL Matches

ମୁମ୍ବାଇ: ଆଉ ଦିନକ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଇପିଏଲ୍ ଆରମ୍ଭ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦେଖା ଦେଇଛି । ମୁମ୍ବାଇ ପୋଲିସ ଆଇପିଏଲ୍ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ଜାରି କରିଛି । ଏଟିଏସ୍ ପଚରାଉଚରା କରିବା ବେଳେ ଗିରଫ ଆତତଙ୍କବାଦୀ ଆଇପିଏଲ୍ ମ୍ୟାଚ୍ ବେଳେ ଆକ୍ରମଣ ଯୋଜନା କରିଥିବା ମାନିଛନ୍ତି । ଏପରିକି ଆତଙ୍କବାଦୀ ମାନେ ଆକ୍ରମଣ ପାଇଁ ୱାଙ୍ଖେଡେ ଷ୍ଟାଡିୟମ୍, ଟ୍ରାଇଡେଣ୍ଟ ହୋଟେଲ ସହ ଆଖପାଖ ଅଞ୍ଚଳରେ ରେକି କରି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ।

ଆଇପିଏଲ୍ ମ୍ୟାଚକୁ ନଜରରେ ରଖି ଷ୍ଟାଡିୟମ୍, ଖେଳାଳି ରହୁଥିବା ହୋଟେଲ୍ ଆଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମାର୍ଚ୍ଚ ୨୬ରୁ ମେ ୨୨ ପର୍ଯ୍ୟନ୍ତ କ୍ୱିକ୍ ରେସପନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ସହ ରାଜ୍ୟ ରିଜର୍ଭ ପୋଲିସ ବଳ ମୁତୟନ କରାଯାଇଛି । ଆତଙ୍କବାଦୀଙ୍କୁ ଜେରାରୁ ଏଭଳି ତଥ୍ୟ ମିଳିବା ପରେ ଖେଳାଳିଙ୍କୁ ବସରେ ଭେନ୍ୟୁ ଯାଏ ଆଣିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏସ୍କର୍ଟ ବ୍ୟବସ୍ଥା କରାଯାଇଛି । ହୋଟେଲରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଅମ୍ପାୟର୍ସ ଓ ମ୍ୟାଚ୍ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି ।

Mumbai Terror Alert On IPL Matches

ଚଳିତ ଆଇପିଏଲ୍ ସଂସ୍କରଣର ଲିଗ୍ ମ୍ୟାଚ୍ କେବଳ ମୁମ୍ବାଇ ଓ ପୁନେରେ ଖେଳାଯିବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ମୋଟ ୭୦ଟି ଲିଗ୍ ମ୍ୟାଚରୁ ୨୦ଟି ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ୧୫ଟି ମ୍ୟାଚ୍ ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯିବ । ନଭି ମୁମ୍ବାଇ, ବିନସ ଡି ୱାଇ ପାଟିଲ୍ ଷ୍ଟାଡିୟମ୍ ଓ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନ୍ୟ ମ୍ୟାଚ୍ ଖେଳାଯିବ ।

ମୁମ୍ବାଇରେ ଶନିବାରରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ଚଳିତ ସଂସ୍କରଣରେ ଦର୍ଶକ ମ୍ୟାଚର ମଜ୍ଜା ଷ୍ଟାଡିୟମରେ ବସି ନେଇପାରିବେ । ଯେଉଁଥିପାଇଁ ବୁଧବାର ଠାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ସାରିଛି । ଆୟୋଜକଙ୍କ ସୂଚନା ଅନୁସାରେ ଷ୍ଟାଡିୟମରେ ବସିବା କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସହ କୋଲକାତା ନାଇଟ୍ ରାଇଡର୍ସ ମୁକାବିଲା କରିବ । ଚଳିତ ଆଇପିଏଲ୍ ସଂସ୍କରଣରେ ମୋଟ ୧୦ଟି ଟିମ୍ ୭୪ଟି ମ୍ୟାଚ୍ ଖେଳିବେ ।