ମୁମ୍ବାଇ ଡ୍ରଗ୍ସ ମାମଲା; ପ୍ରଯୋଜକ ଇମତିଆଜ ଖତ୍ରିଙ୍କ ଅଫିସ ଓ ଘରେ NCBର ରେଡ୍

ମୁମ୍ବାଇ: ବହୁଚର୍ଚ୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲାରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରିଙ୍କ ଅଫିସ ଓ ଘରେ ରେଡ କରିଛି ଏନସିବି। ବାନ୍ଦ୍ରାସ୍ଥିତ ଇମତିଆଜଙ୍କ ଅଫିସରେ ଏହି ରେଡ ହୋଇଛି। ଗତବର୍ଷ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଇମତିଆଜଙ୍କ ନାଁ ପଦାକୁ ଆସିଥିଲା।
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ସାରାଓଗି ମଧ୍ୟ ସୁଶାନ୍ତ ମୃତ୍ୟୁ ମାମଲା ନେଇ ଇମିତିଆଜଙ୍କ ଉପରେ ଦୋଷାରୋପ କରିଥିଲେ । ସେ ଦାବି କରିଥିଲେ ଯେ ସୁଶାନ୍ତ ରାଜପୁତ ଓ ରିଆ ଚକ୍ରବର୍ତ୍ତୀଙ୍କୁ ଇମିତିଆଜ ଡ୍ରଗ୍ସ ଯୋଗାଇଥିଲେ । ଏନସିବି ପକ୍ଷରୁ ଡ୍ରଗ୍ସ ମାମଲାରେ ଅଧିକ ଖୋଳତାଡ ଜାରି କରିଥିବାବେଳେ ବର୍ତ୍ତମାନ ବି ରେଡ ଜାରି ରଖିଛି ।
ସେପଟେ ଆର୍ଯ୍ୟନ ଖାନଙ୍କୁ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ୬ ଗ୍ରାମ ଚରସ ନିଜ ଜୋତାରେ ନେଇଥିବା ଖୋଳତାଡରୁ ଜଣାପଡିଛି। କର୍ଡେଲିଆ କ୍ରୁଜରେ ଏହି ଡ୍ରକ୍ସ ପାର୍ଟି ଚାଲିଥିବା ବେଳେ ରେଡ କରିଥିଲା ଏନସିବି । ଏଥିରେ ଆର୍ଯ୍ୟନ, ଅର୍ବାଜଙ୍କ ସହ ୧୬ ଜଣଙ୍କୁ ଗିରଫ କରାଯାଇଛି । ବୟାନ ରେକର୍ଡ ବେଳେ ଆର୍ଯ୍ୟନ୍ ଓ ଅରବାଜ ମିଶି ଡ୍ରକ୍ସ ଓ ଚରସ୍ ସେବନ କରନ୍ତି ବୋଲି ମାନିଥିବା ଏନସିବି ପକ୍ଷରୁ ସୂଚନା ରହିଛି ।
ଅପରପକ୍ଷେ ଆର୍ଯ୍ୟନଙ୍କ ଗତକାଲି ବେଲ ଖାରଜ ହେବାପରେ ତାଙ୍କୁ ମୁମ୍ବାଇ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଛି । ଏହି ଜେଲରେ କୁଖ୍ୟାତ ଆତଙ୍କବାଦୀ ଠାରୁ ବଡ ବଡ ଅଭିଯୁକ୍ତ ସଜ୍ଜା କାଟିଛନ୍ତି । ୨୦୦୮ରେ ମୁମ୍ବାଇ ଆକ୍ରମଣ ଘଟଣାରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବଙ୍କୁ ଏହି ଜେଲରେ ବନ୍ଦୀ କରାଯାଇଥିଲା । ଏହି ଜେଲରେ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସଜ୍ଜା କାଟିଥିଲେ ।