spot_img

Latest Posts

ମୁମ୍ବାଇ ବୋଟ ଟ୍ରାଜେଡି ଘଟଣା, ମିଳିଲା ଆଉ ଏକ ମୃତଦେହ

ମୁମ୍ୱାଇ: ମୁମ୍ୱାଇରେ ବୋଟ ଟ୍ରାଜେଡି ଘଟଣାରେ ମିଳିଲା ଆଉ ଏକ ମୃତଦେହ । ମୃତ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳି ପାରିନାହିଁ। ବର୍ତ୍ତମାନ ଉଦ୍ଧାକାରୀ ଦଳ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ସହ ନୌସେନାର ବୋଟ୍ ଧକ୍କା ହୋଇଥିଲା। ଏଥିରେ ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ ୫ କ୍ରିଉ ମେମ୍ବରଙ୍କୁ ନେଇ  ଏଲିଫାଣ୍ଟା ଯାଉଥିଲା ନିଲକମଲ ନାମକ ଫେରିବୋଟ୍‌। ମାତ୍ର ମଝି ସମୁଦ୍ରରେ କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା। ସ୍ପିଡ ବୋଟ ସମୁଦ୍ରରେ ଟ୍ରାଏଲ୍ କରୁଥିବା ବେଳେ ଇଞ୍ଜିନରେ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ତାହା ଯାତ୍ରାବାହୀ ଡଙ୍ଗାକୁ ଧକ୍କା ଦେଇଥିବା ନୌସେନା ପକ୍ଷରୁ କୁହାଯାଇଥିଲା। ଏହି ମାମଲାରେ ନୌସେନା ସ୍ପିଡ୍‌ ବୋଟ୍‌ ଡ୍ରାଇଭରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି ପୁଲିସ୍‌।

ମୁମ୍ବାଇ ବୋଟ ଟ୍ରାଜେଡି ମାମଲାରେ ୧୦୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୦ ଜଣଙ୍କୁ ଡିସଚାର୍ଜ କରାଯାଇଛି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାରେ ପ୍ରାଣହରାଇଥିବା ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ପିଏମ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ରାଶି ଘୋଷଣା କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମୃତକଙ୍କ  ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Latest Posts

Don't Miss