ଦେଶରେ ପାଦ ଥାପିଲା କରୋନାଠୁ ଅଧିକ ବିପଜ୍ଜନକ ରୋଗ, ୩ରୁ ୨୦ ବର୍ଷର ପିଲାଙ୍କୁ କରୁଛି ଆକ୍ରାନ୍ତ

1 min read

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଭୟ ସମସ୍ତଙ୍କ ମନରେ ରହିଛି । ଦିନକୁ ଦିନ କରୋନା କବଳରେ ଅଧିକରୁ ଅଧିକ ଘାଣ୍ଟି ହେବାରେ ଲାଗିଛନ୍ତି ଲୋକେ । କରୋନାକୁ ରୋକିବା ପାଇଁ କରୋନା ଟିକା ଏପର୍ଯ୍ୟନ୍ତ ବାହାରି ପାରୁନାହିଁ । ଦେଶରେ ଏଭଳି ପରିସ୍ଥିତି ଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ପାଲଟିଛି ଆଉ ଏକ ରୋଗ । ଏବେ ଦେଶରେ କରୋନା ଭୂତାଣୁ ଠାରୁ ଅଧିକ ବିପଜ୍ଜନକ ରୋଗ ଆସିଛି ପହଞ୍ଚିଛି । ଗୁଜୁରାଟର ସୁରଟରେ ଏହି ରୋଗର ପ୍ରଥମ ଘଟଣା ଦେଖିବାକୁ ମିଳିଛି । ଏହି ରୋଗର ଲକ୍ଷଣ ସୁରଟର ଏକ ଶିଶୁର ଶରିରରେ ଦେଖିବାକୁ ମିଳିଛି ।

ଏହି ରୋଗର ନାମ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ । ଏହାକୁ MIS-C ମଧ୍ୟ କୁହାଯାଏ । ପ୍ରଥମ ମାମଲା ବାହାରିବା ପରେ ସୁରଟ ଏବଂ ଗୁଜୁରାଟର ଲୋକଙ୍କ ଚିନ୍ତା ବଢ଼ିଚାଲିଛି । MIS-C ଅର୍ଥାତ୍ ମଲ୍ଟି ସିଷ୍ଟମ୍ ଇନଫ୍ଲାମେଟୋରୀ ସିଣ୍ଡ୍ରୋମର ଲକ୍ଷଣ ସୁରଟରେ ରହୁଥିବା ଏକ ପରିବାରର  ୧୦ ବର୍ଷ ଶିଶୁର ଶରୀରରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା, ଏହି ରୋଗ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଆମେରିକା ଏବଂ ୟୁରୋପୀୟ ଦେଶରେ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଭାରତରେ ଏହି ରୋଗ ଦେଖିବାକୁ ମିଳିଛି ।

ଏହି ରୋଗ ଦେଖାଯାଇଥିବା ଶିଶୁ ପୁତ୍ରକୁ ସୁରଟର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିଲାଟିର ଜ୍ୱର, ବାନ୍ତି, କାଶ, ଝାଡ଼ା ଭଳି ଲକ୍ଷଣ ଦେଖିବାକୁ ମିଳିଛି । ଆଖି ଏବଂ ଓଠ ଲାଲ ହୋଇଯାଉଛି ବୋଲି ସୂଚନା ମିଳିଛି । ପ୍ରଥମେ ସୁରଟର ଡା. ଆଶିଷ ଗୋଟି ପିଲାଟିକୁ ଦେଖିଥିଲେ । ତା’ପରେ ସେ ସୁରଟ ଏବଂ ମୁମ୍ବାଇର ଅନ୍ୟ ଡାକ୍ତରମାନଙ୍କ ସହିତ ପରାମର୍ଶ କରିଥିଲେ । ଯେତେବେଳେ ଅନୁସନ୍ଧାନ ରିପୋର୍ଟ ଆସିଲା, ଦେଖାଗଲା ଯେ ଶିଶୁର ଶରୀରରେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମର ଲକ୍ଷଣ ରହିଛି ।

ଏହି ସମୟରେ, ଏହି ବିପଜ୍ଜନକ ରୋଗ ସହ ସଂଘର୍ଷ କରୁଥିବା ଏହି ଶିଶୁର ହୃଦୟର ସ୍ପନ୍ଦନ ୩୦ ପ୍ରତିଶତ ହ୍ରାସ ପାଇଥିଲା । ତାଙ୍କ ଶରୀରର ଶିରା ଫୁଲି ଯାଇଥିଲା । ଏହି କାରଣରୁ ତାଙ୍କର ହୃଦଘାତ ହୋଇପାରେ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ମାତ୍ର ସାତ ଦିନର ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଯାଇଥିଲା । ଯଦି ଏଥିପ୍ରତି କୌଣସି ପଦକ୍ଷେପ ନନିଆଯାଏ ତେବେ ଏହି ରୋଗ ଦେଶରେ ବ୍ୟାପିଯିବ ବୋଲି ଡାକ୍ତରମାନେ ପୂର୍ବାନୁମାନ କରିଛନ୍ତି ।

୩ ବର୍ଷରୁ ୨୦ ବର୍ଷ ବୟସର କିଶୋରମାନେ ଏହି ରୋଗର ଶିକାର ହୋଇପାରନ୍ତି । ପିଲାମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ରିହିଛି । ଡାକ୍ତରମାନେ କହିଛନ୍ତି ଯେ କରୋନା ପରି ଏହାକୁ ଯାଞ୍ଚ କରିବା କଷ୍ଟକର । MIS-C କୁ ଏଡାଇବା ପାଇଁ ଏକମାତ୍ର ଉପାୟ ହେଉଛି ଏହାର ଲକ୍ଷଣକୁ ଧ୍ୟାନରେ ରଖିବା । ପିଲାଟି ଜ୍ୱର, ବାନ୍ତି, ଝାଡ଼ା, ଆଖି ଏବଂ ଓଠ ଲାଲ ଦେଖିବା ମାତ୍ରେ ପିଲାଟିକୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନେଇଯାଆନ୍ତୁ । ଏହାର ଉପଶମ ଅଛି, କିନ୍ତୁ ଠିକ୍ ସମୟରେ ଚିକିତ୍ସା ନହେବା ହେତୁ ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ ।

Leave a Reply