ନୂଆ ଅବତାରରେ କ୍ୟାପଟେନ୍ କୁଲ୍, IPL ପୂର୍ବରୁ ସିଟରେ ରଙ୍ଗ ଦେଉଛନ୍ତି ଧୋନୀ

1 min read

ଚେନ୍ନାଇ: ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାକୁମ୍ଭ IPL । IPLର ନୂଆ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ସବୁ ଫ୍ରାଞ୍ଚାଇଜ୍ । CSK ମଧ୍ୟ ଆଇପିଏଲର ନୂଆ ସିଜିନ୍ ପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛି । ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । କିନ୍ତୁ ଏବେ ବି କମିନି ମାହିଙ୍କ କ୍ରେଜ୍ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଭ୍ୟାସ କରୁଛି ଧୋନୀଙ୍କ ନେତୃତ୍ୱାଧିନ CSK । ଚେନ୍ନାଇର MA ଚିଦାମ୍ବରମ ଷ୍ଟାଡିୟମରେ ଝାଳ ବୁହାଉଛନ୍ତି ଧୋନୀଙ୍କ ସମେତ ସମସ୍ତ ଖେଳାଳି । ତେବେ ଏହାରି ମଧ୍ୟରେ ଚେପକ୍ ଷ୍ଟାଡିୟମରୁ ଆସିଛି ଏକ ରୋଚକ ଦୃଶ୍ୟ । ଚେପକ୍ ଷ୍ଟାଡିୟମରେ ନୂଆ ରୂପରେ ନଜର ଆସିଛନ୍ତି ମାହି । ଧୋନୀଙ୍କ ଏହି ନୂଆ ଅବତାରକୁ ବେଶ୍‌ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ ।

ସୋସିଆଲ ମିଡିଆରେ ମାହିଙ୍କ ଏହି ନୂଆ ଭିଡିଓକୁ ପୋଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଯେଉଁଥିରେ ଧୋନୀ ଷ୍ଟାଡିୟମରେ ଥିବା ସିଟକୁ ରଙ୍ଗ ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଧୋନୀ ଏକ ସ୍ପ୍ରେ ପେଣ୍ଟ୍ ଧରି ଗୋଟିଏ ପରେ ଗୋଟିଏ ସିଟକୁ ରଙ୍ଗ ଦେଉଛନ୍ତି । ତେବେ ଧୋନୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଧୋନୀଙ୍କ ଏହି ନୂଆ ଅବତାରକୁ ଭରପୂର ପ୍ରଶଂସା କରୁଛନ୍ତି ପ୍ରଶଂସକ । ଏମିତିକି ତାଙ୍କ ରଙ୍ଗ ଦିଆ ଉଚ୍ଚ କୋଟିର ବୋଲି କହିଛନ୍ତି ପ୍ରଶଂସକ ।

ସୂଚନା ଅନୁସାରେ ୨୦୧୯ ପରେ ପ୍ରଥମ ଥର ପାଇଁ ଚେପକରେ ଖେଳିବାକୁ ଯାଉଛି CSK । କରୋନା ମହାମାରୀ ପରେ ୩ ବର୍ଷ ହେବ IPL ଦୁବାଇ କିମ୍ବା ଭାରତର କିଛି ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜିତ ହେଉଥିଲା । ଯାହା ଫଳରେ ଚେପକରେ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେଉଥିଲେ ଦର୍ଶକ । ତେଣୁ ୩ ବର୍ଷ ପରେ ପୁଣି ଥରେ ଚେନ୍ନାଇ ତା’ର ହୋମ ଗ୍ରାଉଣ୍ଡରେ ଖେଳିବାକୁ ଯାଉଥିବାରୁ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି ।