IPL: ଅଧିନାୟକତ୍ୱ ଛାଡ଼ିଲେ ମାହି, ରବୀନ୍ଦ୍ର ଜାଡ଼େଜା ସିଏସକେର ନୂଆ କ୍ୟାପଟେନ୍

1 min read
MS Dhoni Hands Over Captaincy Of Chennai Super Kings To Ravindra Jadeja IPL 2022

ଚେନ୍ନାଇ: ଆଇପିଏଲରେ ବଡ଼ ଅଦଳବଦଳ । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରିଲେ ମହେନ୍ଦ୍ର ସିଂହ ଧୋନି । ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡ଼ିତ ରବୀନ୍ଦ୍ର ଜାଡ଼େଜା । ସେ ଦଳର ତୃତୀୟ ଖେଳାଳି ଭାବେ ସିଏସକେର ଅଧିନାୟକ ଦାୟିତ୍ୱ ତୁଲାଇବେ ।

ଚେନ୍ନାଇ ସୁପର କିଙ୍ଗ୍ସ ଚଳିତଥର ଜାଡ଼େଜା, ଧୋନିଙ୍କ ସହ ୪ ଖେଳାଳିଙ୍କୁ ରିଟେନ୍ କରିଥିଲା । ଜାଡ଼େଜାଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ । ଯେତେବେଳେ କି ଚଳିତ ସଂସ୍କରଣ ପାଇଁ ଧୋନିଙ୍କୁ ୧୨ କୋଟି ଟଙ୍କାରେ ଚେନ୍ନାଇ ରିଟେନ୍ କରିଥିଲା । ଫଳରେ ଆରମ୍ଭରୁ ଏନେଇ ଚର୍ଚ୍ଚା ହେଉଥିଲା କି ସିଏସକେର ଅଧିନାୟକତ୍ୱ ଜାଡ଼େଜାଙ୍କୁ ମିଳିପାରେ । ଏହାଛଡ଼ା ଚେନ୍ନାଇ ମୋଇନ୍ ଅଲୀଙ୍କୁ ୮ କୋଟି ଓ ଋତୁରାଜ ଗାୟକୱାଡ଼ଙ୍କୁ ୬ କୋଟି ଟଙ୍କାରେ କିଣିଥିଲା ।

୨୦୧୨ରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଜାଡ଼େଜା ଖେଳୁଛନ୍ତି । ଦଳର ତୃତୀୟ ଅଧିନାୟକ ହେବେ ଜାଡ଼େଜା । ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ରୁ ସିଏସକେର ନେତୃତ୍ୱ ଧୋନି ନେଉଥିଲେ । ଧୋନି ଚେନ୍ନାଇ ପକ୍ଷରୁ ୨୧୩ଟି ମ୍ୟାଚର ନେତୃତ୍ୱ ନେଇଥିବା ବେଳେ ୧୩୦ଟି ମ୍ୟାଚ୍ ଦଳ ଜିତିଛି । ଚେନ୍ନାଇ ପକ୍ଷରୁ ସୁରେଶ ରାଇନା ୬ଟି ମ୍ୟାଚରେ ଅଧିନାୟକ ଥିଲେ । ଯେଉଁଥିରୁ ଦଳ ୨ଟିରେ ବିଜୟୀ ହୋଇଥିଲା ।

ଚଳିତ ଆଇପିଏଲ୍ ସଂସ୍କରଣ ଆରମ୍ଭର ଠିକ୍ ଗୋଟିଏ ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ବଦଳାଇଛି । ୨୬ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ଜାଡ଼େଜାଙ୍କୁ ଅଧିନାୟକ ଦାୟିତ୍ୱ ମିଳିବା ପରେ ପଞ୍ଚମଥର ପାଇଁ ଚାମ୍ପିଅନ୍ ହେବା ଉଦ୍ଦେଶ୍ୟରେ କ୍ରିଜକୁ ଓହ୍ଲାଇବ ସିଏସକେ ।