ଏକାଠି ମାଟ୍ରିକ ପାସ୍ କଲେ ମାଆପୁଅ

ଜୟପୁର: ଶିକ୍ଷା ଅର୍ଜନରେ ନଥାଏ ବୟସ । ଇଚ୍ଛାଶକ୍ତି ଥିଲେ ଯେକୌଣସି ବୟସରେ ଯାହା ଚାହିଁବେ ପଢ଼ି ପାରିବେ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ।  ଯାହାକୁ  ପ୍ରମାଣିତ କରିଛନ୍ତି କୋରାପୁଟ ପୂଜାରୀପୁଟର ମାଆ ପୁଅ । ଏକାଠି ମାଟ୍ରିକ ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଜ୍ୟୋତ୍ସ୍ନା ପାଢ଼ୀ ଏବଂ ତାଙ୍କ ପୁଅ ଆଲୋକନାଥ ପାତ୍ର । ପୁଅ ସହ ପାଠପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜ୍ୟୋତ୍ସା ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଘର କାମରୁ ସମୟ ବାହାର କରି ପଢ଼ିବା ଓ ସଫଳତା ପାଇବା ଜ୍ୟୋତ୍ସ୍ନାଙ୍କ ପାଇଁ ସହଜ ନଥିଲା । ଏଥିପାଇଁ ସବୁ ପ୍ରକାର ସହଯୋଗ କରୁଥିଲେ ସ୍ବାମୀ । ମାଟ୍ରିକ ପରୀକ୍ଷାରେ ଜୋତ୍ସ୍ନାଙ୍କ ସଫଳତା ପରେ ଗାଁର ଅନ୍ୟ ଝିଅ ବୋହୂ ମଧ୍ୟ ପାଠ ପଢ଼ିବା ପାଇଁ ଆଗ୍ରହ ଦେଖାଇଥିବା ଜ୍ୟୋତ୍ସ୍ନାଙ୍କ ସ୍ବାମୀ ତ୍ରିନାଥ ପ୍ରସାଦ କହିଛନ୍ତି ।

ଶାଶୁ ଖୁଆଇଲେ ବୋହୂକୁ ମିଠା । ପୂଜାରିପୁଟ ଗ୍ରାମରେ ଯେପରି ଏକ ଖୁସିର ଲହରୀ ଖେଳିଯାଇଛି । ଘରକାମ କରିବା ଓ ସ୍ବାମୀଙ୍କ ମନ୍ଦିର ପୂଜାରେ ସହଯୋଗ କରିବା ପରେ ପୁଅ ସହ ପାଠ ପଢ଼ିବାକୁ ବସି ଯାଉଥିଲେ ଜ୍ୟୋତ୍ସ୍ନା । କେବଳ ସ୍ବାମୀ ପାଠ ପଢ଼ିବାକୁ ପ୍ରେରଣା ଦେଉ ନଥିଲେ ଶାଶୁ ମଧ୍ୟ ସହଯୋଗ କରୁଥିଲେ ।

ଅନ୍ୟପକ୍ଷରେ ମାଆଙ୍କ ସଫଳତାରେ ପୁଅ ବହୁତ ଖୁସି ଅଛି । ମାଆ ସହ ମାଟ୍ରିକ ପାସ୍ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି । ତାଙ୍କ ମାଆଙ୍କ ଏହି ପଦକ୍ଷେପ ଆଗକୁ ଶ୍ବଶୂର ଘର କାମରେ ନିଜ ଭବିଷ୍ୟତକୁ ଭୁଲି ଯାଉଥିବା ମାଆମାନଙ୍କୁ ନୂଆ ଆଶା ଦେବ ବୋଲି କହିଛନ୍ତି ଜ୍ୟୋତ୍ସ୍ନାଙ୍କ ପୁଅ ।

ଆଗାମୀ ଦିନରେ ଅଧିକ ପାଠ ପଡ଼ିବା ସହ ନିଜକୁ ଜଣେ ସ୍ବାବଲମ୍ବୀ ମହିଳା ଭାବେ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଜ୍ୟୋତ୍ସ୍ନା । ଅନ୍ୟପକ୍ଷରେ ତାଙ୍କର ଏହି ସଫଳତାରେ ସ୍କୁଲର ଶିକ୍ଷକମାନେ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି ।