ମନକଥା କହିବାକୁ ୧୨ ବର୍ଷ ନେଇଥିଲେ କମେଡି କିଙ୍ଗ୍ ରାଜୁ
ମୁମ୍ବାଇ: ତାଙ୍କ ଚୁଟକୁଲା ଶୁଣିଲେ କିଏ ବା ନିଜ ହସକୁ ରୋକି ପାରୁଥିଲା । ହସାଇ ହସାଇ ବେଦମ କରି ଦେଉଥିବା ମଣିଷର ହସ ଦେଖିବାକୁ ଚାହିଁଛି ଦୁନିଆ । ହସୁଥିବା, ହସାଇବାକୁ ଭଲ ପାଉଥିବା ଜୋକ୍ସ ଶୁଣିବାକୁ ଚାତକ ଭଳି ଚାହିଁଛନ୍ତି ଦର୍ଶକ । ହେଲେ ଭେଣ୍ଟିଲେଟରରେ ଶୋଇଛନ୍ତି ରାଜୁ । ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ । ଜିମ୍ରେ ୱାର୍କଆଉଟ ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ । କମେଡି କିଙ୍ଗଙ୍କ ହସ ଶୁଣିବାକୁ ଚାରିଆଡେ ଚାଲିଛି ପ୍ରାର୍ଥନା ।
କେବଳ କମେଡି ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ରାଜୁ । ତାଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠୁ କମ ନଥିଲା । ପ୍ରେମକୁ ପାଇବା ପାଇଁ ଦୀର୍ଘ ୧୨ ବର୍ଷ ସେ କସରତ କରିଥିଲେ । ଆଜି ଆମେ ଆପଣଙ୍କୁ କହିବୁ କମେଡିଆନ ରାଜୁଙ୍କ ରୋମାଞ୍ଚକର ପ୍ରେମ କାହାଣୀ ।
ଉତ୍ତର ପ୍ରଦେଶ କାନପୁରର ବାବୁପୁରୱା ବାସିନ୍ଦା କାନପୁରିଆ କମେଡିଆନଙ୍କ ଅସଲ ନାଁ ହୁଏତ ବହୁ କମ ଲୋକ ଜାଣିଥିବେ । ସତ୍ୟପ୍ରକାଶ ଶ୍ରୀବାସ୍ତବ ଓରଫ ରାଜୁ । ଭାଇର ବିବାହରେ ରାଜୁଙ୍କୁ ମିଳିଯାଇଥିଲା ତାଙ୍କ ପ୍ରଥମ ପ୍ରେମ । ବରଯାତ୍ରୀ ନେଇ ପହଞ୍ଚିବା ବେଳେ ଶିଖାଙ୍କ ଉପରେ ପଡିଥିଲା ରାଜୁଙ୍କ ନଜର । ସେହି ଦିନରୁ ଶିଖାଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରି ନେଇଥିଲେ ରାଜୁ । ଭାଉଜଙ୍କ ଦୂର ସମ୍ପର୍କୀୟ ଥିଲେ ଶିଖା । ପ୍ରଥମେ ଭାଇଙ୍କୁ ମନାଇ ଶିଖାଙ୍କ ଘରକୁ ଯାଉଥିଲେ ରାଜୁ । ହେଲେ ଏକତରଫା ପ୍ରେମ କରି ଯେମିତି ଫସି ଯାଇଥିଲେ ରାଜୁ । କାହିଁକି ନା ଶିଖାଙ୍କୁ ମନକଥା ଖୋଲି କହିବାକୁ ସେ ସାହାସ କରୁ ନଥିଲେ ।
ପ୍ରେମ ପର୍ଯ୍ୟନ୍ତ ତ ଠିକ ଥିଲା । ମାତ୍ର ସଂସାର ଗାଡି ଗଡାଇବା ପାଇଁ ଜରୁରୀ ଥିଲା ରୋଜଗାର । ୧୯୮୨ରେ ଇନକମ୍ ପାଇଁ ମୁମ୍ବାଇ ଚାଲି ଆସିଥିଲେ ରାଜୁ । ମାୟା ନଗରୀରେ ସେ ଜୋରଦାର ଷ୍ଟ୍ରଗଲ କରିଥିଲେ । ସବୁ ସଂଘର୍ଷକୁ ବାଦ୍ ଦେବା ପରେ ବିବାହ କରିବାକୁ ମନସ୍ଥ କରିଥିଲେ ରାଜୁ । ଏହାରି ମଧ୍ୟରେ ବହୁଥର ଶିଖାଙ୍କୁ ସେ ପ୍ରେମ ପତ୍ର ଲେଖିଥିଲେ । କିନ୍ତୁ ହୃଦୟର କଥା କହିବା ବେଳେ ଯେପରି ରାଜୁଙ୍କୁ କିଏ ଅଟକାଇ ଦେଉଥିଲା । କାଳେ ମନର ମଣିଷକୁ ଆଉ କେହି ଚୋରାଇ ନେବ ଆଶଙ୍କା କରି ଡରି ଯାଇଥିଲେ ରାଜୁ । ଶେଷରେ ବହୁ ସାହାସ କରି ପରିବାରର ସୀକୃତି ନେଇ ଶିଖାଙ୍କ ଘରକୁ ପଠାଇଥିଲେ ପ୍ରସ୍ତାବ ।
ଶିଖାଙ୍କ ଭାଇ ରାଜୁଙ୍କ ବିଷୟରେ ସବୁ ପତ୍ତା କରିବା ପରେ ଶେଷରେ ବିବାହ ପାଇଁ ମାନିଯାଇଥିଲେ । ୧୭ ମେ ୧୯୯୩ରେ ଶିଖାଙ୍କ ହାତ ଧରି ସାତ ଜନ୍ମର ସାଥୀ କରିବାକୁ ପ୍ରତିଜ୍ଞା ନେଇଥିଲେ ରାଜୁ ।